ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଗୁଆ ପ୍ରସ୍ତୁତି
ବଲାଙ୍ଗିର, ( ମୋତିଲାଲ ସାହୁ ) : ଆଜି ଅପରାହ୍ନରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହିମାଂଶୁ ବେହେରା, ବିଡ଼ିଓ ହୃଷୀକେଶ ଗଣ୍ଡ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ନିର୍ବାହୀ ଅଧିକାରୀ, ପୌରପରିଷଦ ସନ୍ତୋଷ କୁମାର ବେହେରା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝିଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ଅଧିକାରୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ବୃନ୍ଦ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରି ଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ତା.୨୬.୦୧.୨୦୨୬ ରିଖ ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ୫ ଘ. ସମୟରେ ରାମଧୁନ, ସକାଳ ୬ ରୁ ୭ ଘ. ମଧ୍ୟରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତଫେରି, ସକାଳ ୭ ରୁ ୭ .୩୦ ମଧ୍ୟରେ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ, ସକାଳ ୭.୧୫ ରୁ ୭.୪୫ ମଧ୍ୟରେ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଆନୁଷ୍ଠାନିକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଦିବସର ମୁଖ୍ୟ ଅତିଥି ସକାଳ ୮.୩୦ ସମୟରେ ଆନୁଷ୍ଠାନିକ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବେ । ସମ୍ମିଳିତ ପ୍ୟାରେଡରେ ହୋମଗାର୍ଡ, ଏନସିସି, ସ୍କ୍ୱାଉଟ, ଗାଇଡ, ରେଡକ୍ରସ ଓ ସିଭିଲିଆନ ଦଳ ଅଂଶ ଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ, ସ୍ଵାଧୀନତା ସଂଗ୍ରାମୀ ବେଶ, ଓଡ଼ିଆ, ଇଂରାଜୀ ପ୍ରବନ୍ଧ ଓ ବକ୍ତୃତା, ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦବ୍ୟତୀତ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲାକୁ ଗୌରବାନ୍ଵିତ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ସାଧାରଣତନ୍ତ୍ର ଦିବସ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ବିଭାଗ ଦ୍ଵାରା ସଚେତନତା ମୂଳକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ । ପ୍ୟାରେଡ ପରେ ଜିଲ୍ଲା କାରାଗାରର ଅନ୍ତେବାସୀ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରାଯିବ । ବୈଠକ ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ କେଶବ ବାଗ, ତପନ କୁମାର ପଟେଲ, ସମୀର ସାହୁ ଓ ଛବିଲାଲ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।