Hot Posts

6/recent/ticker-posts

ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ସୁଶାସନ ଦିବସ, ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାସ ଙ୍କ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଯୋଗଦାନ

ନୂଆପଡ଼ା, ୨୫/୧୨ ( ମନୋଜ ମାଝୀ ) : ଓୟୁଏଟି ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସୁଶାସନ ଦିବସ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତର ରାଜନୈତିକ ଆକାଶର ଏକ ଅମର ନାମ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏକ ଗରିମାମୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ବର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୁଶାସନକୁ ଅଧିକ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆହୁରି ଆଗେଇ ନେଇ ସିଏମ୍ ଡାସ୍ ବୋର୍ଡର ଲୋକାର୍ପଣ କରିଥିଲେ। ସେହିପରି, ଜିଲ୍ଲାସ୍ତରରେ ସରକାରୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ପେପରଲେସ୍ କରିବା ଉଦ୍ଦେଶ୍ୟରେ OSWAS (Odisha Secretariat Workflow Automation System) ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ସାଧାରଣ ଲୋକଙ୍କ ସହ ସରକାରୀ ସେବାର ସଂଯୋଗକୁ ଆହୁରି ସହଜ ଓ ସୁଗମ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ “ଆମ ସାଥୀ” ୟୁନିଫାଏଡ୍ ହ୍ବାଟସ୍‌ଆପ୍ ଚାଟ୍‌ବୋଟ୍ର ଲୋକାର୍ପଣ କରିଥିଲେ, ଯାହା ମାଧ୍ୟମରେ ନାଗରିକମାନେ ସରକାରୀ ସେବା ସମ୍ପର୍କିତ ତଥ୍ୟ ଓ ସୁବିଧା ସହଜରେ ପାଇପାରିବେ। ଏହା ସହିତ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ, ଅନ୍ୟାନ୍ୟ ଜିଲ୍ଲା କାର୍ଯ୍ୟାଳୟ, ତହସିଲ ଓ ବ୍ଲକ ସ୍ତରୀୟ କାର୍ଯ୍ୟାଳୟଗୁଡ଼ିକରେ OSWAS ମାଧ୍ୟମରେ ଅନଲାଇନ ଫାଇଲ କାର୍ଯ୍ୟ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଔପଚାରିକ ଭାବେ ଉନ୍ମୋଚନ କରିଥିଲେ। ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୁଦନ ଦାସ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଯୋଗଦାନ କରିଥିଲେ। ଜିଲ୍ଲାପାଳଙ୍କ OSWAN ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଉପ ଜିଲ୍ଲାପାଳ ସୂର୍ମି ସୋରେନ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ପଷ୍ଟ ହୋଇଛି ଯେ, ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସୁଶାସନ ଓ ଜନମୁଖୀ ଶାସନର ଦୃଷ୍ଟିକୋଣକୁ ଆଧାର କରି ଓଡ଼ିଶା ସରକାର ଏକ ଆଧୁନିକ, ପ୍ରଯୁକ୍ତିନିର୍ଭର ଓ ଜନସେବାମୂଳକ ପ୍ରଶାସନ ଦିଗରେ ଦୃଢ଼ ପଦକ୍ଷେପ ନେଉଛନ୍ତି।