ବରପାଲିରେ ଗଙ୍ଗାଧର ଶିକ୍ଷା ନିକେତନର ସପ୍ତମ ବାର୍ଷିକ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ
ବରପାଲି, ୨୫/୧୨ ( ସୁବାଷ ମେହେର ) : ବରଗଡ ଜିଲ୍ଲାର ବରପାଲି ସହର ଅନ୍ତର୍ଗତ ଅର୍ଘ୍ୟଥାଳି ସ୍ଥିତ ମାରୱାଡି ଧର୍ମଶାଳା ପ୍ରାଙ୍ଗଣରେ ଗଙ୍ଗାଧର ଶିକ୍ଷା ନିକେତନର ସପ୍ତମ ବାର୍ଷିକ ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଓ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି ।ସ୍କୁଲ ପରିଚାଳନା କମିଟିର ସଭାପତି କମ୍ବୁପାଣି ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁକାନ୍ତି ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ବରପାଲି ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଗୁଣାତ୍ମକ ଶିକ୍ଷା ଓ ଶିଶୁଙ୍କ ସର୍ବାଙ୍ଗୀଣ ବିକାଶରେ ଏପରି ଶିକ୍ଷାନୁଷ୍ଠାନର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବରପାଲି ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଡ଼. ଘନଶ୍ୟାମ ପାଣିଗ୍ରାହୀ ଉପସ୍ଥିତ ରହି ଶିକ୍ଷା ସହିତ ସଂସ୍କାର ଯୁକ୍ତ ମୂଲ୍ୟବୋଧର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ସମ୍ବଲପୁର ବିଇଡି କଲେଜର ଡ଼. ଯୁଧିଷ୍ଠିର ମିଶ୍ର ଓ ବରପାଲି ଏନଏସି ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଆଧୁନିକ ଶିକ୍ଷା ପ୍ରଣାଳୀ, ଶିକ୍ଷକଙ୍କ ଦାୟିତ୍ୱ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷାନିକେତନର ଭୂମିକା ଉପରେ ମୂଲ୍ୟବାନ ମତାମତ ରଖିଥିଲେ ।ଶିକ୍ଷାନିକେତନର ଅଧକ୍ଷ ଦେବାଶିଷ ମେହେର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁସଂଯୋଜିତ ଭାବେ ପରିଚାଳନା କରିଥିବା ବେଳେ, ଶିକ୍ଷକ ମହାଦେବ ମେହେର ଧନ୍ୟବାଦ ଅର୍ପଣ କରି ଉତ୍ସବର ସମାପନ କରିଥିଲେ ।