ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ୧୬ ଅଧ୍ୟାପକ ପଦ ଖାଲି
ବରୀ, ୧୭/୧୨ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲାର ଦ୍ଵିତୀୟ ପୁରାତନ ତଥା ରାଜ୍ୟର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ହେଉଛି ବରୀ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ । ଏହି କଲେଜରେ ଏବେ ଅଧ୍ୟାପକ ସମସ୍ୟା ଦେଇ ଗତି କରୁଛି । ବିଭିନ୍ନ ବିଭାଗରେ ଅଧ୍ୟାପକ ପଦବୀ ଖାଲି ପଡିବା ଶିକ୍ଷା ପ୍ରଦାନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି । କଲେଜରେ ବିଭିନ୍ନ ବିଭାଗରେ ୩୭ ଅଧ୍ୟାପକ ପଦବୀ ଥିଲା ବେଳେ ସେଥି ମଧ୍ୟରୁ ୧୬ ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଚିନ୍ତାର ବିଷୟ ହେଉଛି ବିଗତ ଦୁଇ ବର୍ଷ ମଧ୍ୟରେ ଯେଉଁ ଅଧ୍ୟାପକ ଅଧ୍ୟାପିକାଙ୍କର ବଦଳି ହୋଇଛି ସେମାନଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆ ଯାଇନାହିଁ । ଅବସର ନେଉଥିବା ଅଧ୍ୟାପଙ୍କ ସ୍ଥାନରେ ମଧ୍ୟ ଅନ୍ୟ କାହାକୁ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ସୂଚନା ଅନୁଯାୟୀ ଓଡ଼ିଆ ବିଭାଗରେ ୪ଟି ଅଧ୍ୟାପକ ପଦବୀ ଥିଲା ବେଳେ ସେଥରୁ ଗୋଟିଏ ପଦବୀ ଖାଲି ପଡ଼ିଛି । ସେଇଭଳି ଇଂରାଜୀ ବିଭାଗରେ ୪ଟି ପଦବୀରୁ ୩ଟି, ଇତିହାସ ବିଭାଗରେ ୪ ପଦବୀରୁ ୨ଟି,ରାଜନୀତି ବିଜ୍ଞାନ ବିଭାଗରେ ୪ଟି ପଦବୀରୁ ୨ଟି, ଅର୍ଥନୀତି ବିଭାଗରେ ୪ ପଦବୀରୁ ୨ଟି, ବାଣିଜ୍ୟ ବିଭାଗରେ ୪ଟି ପଦବୀରୁ ୧ଟି, ଫିଜିକ୍ସ ବିଭାଗରେ ୩ ପଦବୀରୁ ୨ଟି, କେମେଷ୍ଟ୍ରି ବିଭାଗରେ ୩ପଦବୀରୁ ୧ଟି, ଗଣିତ ବିଭାଗରେ ୨ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନରେ ସମସ୍ୟା ସୃଷ୍ଟି ହେଉଛି । ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ କହିଛନ୍ତି ଅଧ୍ୟାପକ ପଦବୀ ଖାଲି ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନରେ ସମସ୍ୟା ସୃଷ୍ଟି ହେଉଛି । ଏ ନେଇ ଆମେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଛୁ । ଆଶା କରୁଛୁ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେବେ ।