ଦାଦନ ଖଟିବାକୁ ଯାଇ ହରଡ଼ଘଣାରେ ୯ ଯୁବକ
ରାୟଗଡ଼ା, ୨୧/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାର ଖଣିଜ ସମ୍ପଦରେ ଭରପୂର କାଶୀପୁର ବ୍ଲକ ବକ୍ସାଇଟ ପାଇଁ ବିଶ୍ୱ ପରିଚିତ। ଉତ୍କଳ ଆଲୁମିନା ଭଳି ନାମୀଦାମୀ କମ୍ପାନୀ ଥିଲେ ମଧ୍ୟ ଏଠାରେ ଯୁବପିଢ଼ିଙ୍କୁ ଯଥେଷ୍ଟ ରୋଜଗାର ମିଳୁନାହିଁ। ଫଳରେ ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏଭଳି ଘଟଣା କାଶୀପୁର ବ୍ଲକରେ ଦେଖାଦେଇଛି। ବ୍ଲକର ୯ ଜଣ ଯୁବକ ଜଣେ ଠିକାଦାର ସହ ଗତ ନଭେମ୍ବର ମାସରେ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ‘ଗ୍ଲୋବାଲ ଷ୍ଟିଲ’ କମ୍ପାନୀକୁ କାମ କରିବାକୁ ଯାଇଥିଲେ। କିନ୍ତୁ ଦେଢ଼ ମାସ ହେଲାଣି ସେମାନଙ୍କୁ କାମ ଦିଆଯାଉନାହିଁ କି ପ୍ରତିଶ୍ରୁତି ଅନୁଯାୟୀ ୨୫ ହଜାର ଟଙ୍କା ଅଗ୍ରିମ ମଧ୍ୟ ମିଳୁନାହିଁ। ଟଙ୍କା ଅଭାବରୁ ଖାଦ୍ୟ ସମସ୍ୟା ଦେଖାଦେଇଛି ଓ ଘରକୁ ଫେରିବା ପାଇଁ ଟିକେଟ୍ର ଟଙ୍କା ମଧ୍ୟ ନାହିଁ। ଘଟଣାଟି ପ୍ରଶାସନକୁ ଜଣାପଡ଼ିବା ପରେ ଅତିରିକ୍ତ ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ଶ୍ରମ ବିଭାଗ ତେଲେଙ୍ଗାନା ଶ୍ରମ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ୯ ଯୁବକଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ପଦକ୍ଷେପ ନେଉଛି।