ଶିକେରପାଟ୍ ମହୋତ୍ସବ କମିଟୀ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୭ ଜଣ ରକ୍ତଦାନ କଲେ
ବଲାଙ୍ଗୀର, ୨୫/୧୨ ( ମୋତିଲାଲ ସାହୁ ) : ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକ ଅନ୍ତର୍ଗତ ଘୁନା ହାଇସ୍କୁଲ ପ୍ରାଙ୍ଗଣରେ ଶିକେରପାଟ୍ ମହୋତ୍ସବ କମିଟୀ, ଖଡଙ୍ଗା ଅଞ୍ଚଳ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ସର୍ବମୋଟ ୪୭ ଜଣ ରକ୍ତଦାତା ରକ୍ତଦାନ କରିଥିବାବେଳେ, ସେଥିରେ ୪୩ ଜଣ ପୁରୁଷ ଓ ୪ ଜଣ ମହିଳା ଅଂଶଗ୍ରହଣ କରିଥିଲେ, ଯାହା ଅଞ୍ଚଳବାସୀଙ୍କ ସାମାଜିକ ସଚେତନତାକୁ ପ୍ରମାଣିତ କରୁଛି ।ମହୋତ୍ସବ କମିଟୀର ସଭାପତି ରୋହିତ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗୁଡଭେଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ଦୋରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରକ୍ତଦାନର ମାନବିକ ମୂଲ୍ୟ ଓ ସମାଜ ପାଇଁ ତାହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।ସମ୍ମାନିତ ଅତିଥି ଭାବେ ଗୁଡଭେଲା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଡ଼. ସମୀର ଆଚାର୍ଯ୍ୟ, ଭାଗବତ ନାହାକ, ଓ ଘୁନା ସରପଞ୍ଚ କବିତା ମହାନନ୍ଦ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ସ୍ୱାଗତ ଭାଷଣ ମହୋତ୍ସବ କମିଟୀର ସମ୍ପାଦକ ଲମ୍ବୋଦର ମନହିରା ପ୍ରଦାନ କରିଥିବାବେଳେ, ଧୁବଳେଶ୍ବର ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ ।ରକ୍ତଦାନ ପ୍ରକ୍ରିୟାକୁ ସୁସଂଘଟିତ ଭାବେ ପରିଚାଳନା କରିଥିଲେ ରକ୍ତ ଭଣ୍ଡାର କାଉନସିଲର ଶେଖ ଅସରଫ, ରକ୍ତ ପରୀକ୍ଷକ ଲକ୍ଷ୍ମୀଧର ସାହୁ ଓ ରଞ୍ଜିତ ବେହେରା, ଏବଂ ଗୁଡଭେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସୂର୍ଯ୍ୟକାନ୍ତ ପତ୍ର ପ୍ରମୁଖ ।ଏଥିରେ ମହୋତ୍ସବ କମିଟୀର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ ।ଅପରପକ୍ଷରେ, ଖଡଙ୍ଗା ଅଞ୍ଚଳର ଲୋକସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ପୁଣିଥରେ ଉଜାଗର କରିବା ଲକ୍ଷ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ‘ଶିକେରପାଟ୍ ମହୋତ୍ସବ–୨୦୨୫–୨୬’ ଅନୁଷ୍ଠିତ ହେବ ।ଏହି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ, ରାଜ୍ୟର ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳମାନେ ଅଂଶଗ୍ରହଣ କରିବା ସହ ମୀନା ବଜାର, ପଲ୍ଲୀଶ୍ରୀ ମେଳା ଓ କୃଷି ମେଳାର ବିଶେଷ ବ୍ୟବସ୍ଥା ରହିଥିବା କମିଟୀ ପକ୍ଷରୁ ସୂଚନା ମିଳିଛି ।