ସୁକନ୍ୟା ସମୃଦ୍ଧି ପ୍ରୋତ୍ସାହନ ଶିବିର
କନ୍ଧମାଳ, ୧/୧୧ (ଅଚ୍ୟୁତ ଜାନି) : ସଞ୍ଚୟ ପକ୍ଷ ପାଳନ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାର ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ଫୁଲବାଣୀରେ ଏକ ବିଶେଷ ଅଭିଯାନର ଆୟୋଜନ କରାଯାଇଥିଲା । ଏଠାରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଦାଶ, ସହକାରୀ ଶିକ୍ଷକ ଶ୍ରୀ ସଂଜୀବ କୁମାର ନାୟକ ଓ ଫୁଲବାଣୀ ମୁଖ୍ୟ ଡାକ ଘର ବ୍ୟବସାୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶେଷଦେବ ସାହୁ ଅତିଥି ଭାବରେ ଉପସ୍ଥିତ ରହି ସୁକନ୍ୟା ସମୃଦ୍ଧି ଯୋଜନା ର ଗୁରୁତ୍ୱ ବିଷୟରେ ଛାତ୍ର ଛାତ୍ରୀ ଓ ତାଙ୍କର ଅଭିଭାବକମାନଙ୍କୁ ବତାଇଥିଲେ । ଉକ୍ତ ବୈଠକରେ ପିଲାମାନେ ନିଜ ବାପା/ମା' ଙ୍କୁ ଧନ୍ୟବାଦ ଜ୍ଞାପନ କରି କହିଲେ " ଧନ୍ୟବାଦ ମା-ବାପା ମୋର ବି ଅଛି ସୁକନ୍ୟା ଖାତା" ଓ ନିଜର ସୁକନ୍ୟା ପାସବୁକ ପ୍ରଦର୍ଶନ କରିଲେ ।ଅନ୍ୟ କିଛି ପିଲାମାନେ ନିଜ ମା- ବାପାଙ୍କୁ ଅନୁରୋଧ କରି କହିଲେ "ପୂଜ୍ୟ ମା ଓ ବାପା; ମୁ ତମର ଅଟେ ଅତି ପ୍ରିୟ କନ୍ୟା, ମୋ ପାଇଁ ଖୋଲି ଦିଅ ଗୋଟେ ଖାତା ସୁକନ୍ୟା" । ସେଠି ଉପସ୍ଥିତ ପିଲାମାନେ ଏହି ବାର୍ତ୍ତା ଶିଖି ପ୍ରଚାର ମଧ୍ୟ କରିଥିଲେ । ଏହି ବୈଠକଟିକୁ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ଶ୍ରୀ ବିଜୟ ଚନ୍ଦ୍ର ପାଳ ପରିଚାଳନା କରିଥିଲେ । ଶ୍ରୀ ପାଳ ଏହି ବୈଠକ ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ ଓ କହିଥିଲେ ଯେ "ଝିଅ ଆମର ପଢିବ ବଢିବ, ଦେଶର ଉଜ୍ଜ୍ୱଳ ଭବିଷ୍ୟ ଗଢିବ"ଏବଂ " ବେଟି ବଚାଓ , ବେଟି ପଢ଼ାଓ" ଉପରେ ଗୁରୁତ୍ୱ ଦେଇଥିଲେ । ବୃକ୍ଷ ଓ ସଞ୍ଚୟର ସମ୍ପର୍କ ବିଷୟରେ ପିଲାଙ୍କୁ ଅନୁପ୍ରାଣିତ କରିବାକୁ ଯାଇ ଶ୍ରୀ ପାଳ, ସଞ୍ଚୟ ବୃକ୍ଷର ପ୍ରତୀକ ହିସାବରେ ଘର ଭିତରେ ଲଗାଯାଉଥିବା ଗଛ (ଏରିକା ପାମ) ପ୍ରଧାନ ଶିକ୍ଷକଙ୍କୁ ଭେଟି ଦେଇଥିଲେ ଓ ତାଙ୍କୁ ଶ୍ରେଣୀ ଗୃହରେ ଗୋଟେ ଗଛ ରଖିବା ପାଇଁ ଅନୁରୋଧ କରିଥିଲେ ଯାହା ଫଳ ରେ ପିଲା ମାନେ ପରିବେଶ ସଂରକ୍ଷଣ ଓ ଆର୍ଥିକ ସଞ୍ଚୟ ଭଳି ମୂଲ୍ୟ ବାଲ୍ୟ କାଳରୁ ଶିଖି ପାରିବେ ।