ବାଇକ ଚୋରି ରାକେଟର ହେଲା ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ ସହ ୯ ବାଇକ୍ ଉଦ୍ଧାର
କର୍ଲାମୁଣ୍ଡା, ୨୦/୧୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳରେ ଗତ କିଛି ମାସ ହେବ ବାଇକ ଚୋରି ବୃଦ୍ଧି ପାଉଥିଲା I ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ଅନ୍ଯ ସହଯୋଗୀ ୫ଜଣଙ୍କୁ ଧରିବାରେ ପୁଲିସ ବେଶ ସଫଳତା ପାଇଛି I ଏଥିସହ ୯ ଟି ବାଇକ୍ ସେମାନଙ୍କ ସୂଚନାକ୍ରମେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି I ଏ ନେଇ ରିଷିଡ଼ା ଫାଣ୍ଡିରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି I ସୂଚନା ଅନୁସାରେ, ଝାରମୁଣ୍ତା ଗ୍ରାମର ପଦ୍ମମୁଖ ସାହୁଙ୍କର ଗତ ୧୭ ତାରିଖରେ ବାଇକ ଚୋରି ହୋଇଥିଲା I ଏ ନେଇ ସେ ରିଷିଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ I ଅଭିଯୋଗ ଆଧାରରେ ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକା ବାଇକ ଚୋର ବଲାଙ୍ଗୀର ଜିଲ୍ଲା ତୁଷରା ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ରୋହିତ ମହାନନ୍ଦ ଓରଫ ମୁକେଶ ଓରଫ ଲାଲୁଙ୍କୁ ଗିରଫ କରି ବାଇକ ଉଦ୍ଧାର କରିଥିଲେ I ବାଇକ ଚୋରି ରାକେଟକୁ ଧରିବା ପାଇଁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଏନ୍. ଦେବରକୋଣ୍ଡାଙ୍କ ନିର୍ଦ୍ଦେଶରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ତତ୍ତ୍ଵାବଧାନରେ ମ.ରାମପୁର ଥାନା ଅଧିକାରୀ ବୀରବର ଭଗତ ଓ ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡିକାଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା I ଅଭିଯୁକ୍ତ ରୋହିତକୁ ଧରି ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ବାଗବାହାଲି ଗ୍ରାମର ଗୋକୁଳ ସାହୁ, ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ଦେଉଲି ଗ୍ରାମର ବାବୁଲା ରଣା, ବାଳଗୋପାଲ ରଣା, ଟିକେଚନ୍ଦ ରଣା ଓ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଧୀନ ଜାମୁଟ ଗ୍ରାମ (ଜଗନ୍ନାଥ ବସ୍ତି ପଡ଼ା)ର ଦୟାସାଗର ବିଶିକୁ ଉଠାଇ ଆଣିଥିଲେ I ସେମାନଙ୍କ ସୂଚନା ଆଧାରରେ ୯ଟି ବାଇକ ଉଦ୍ଧାର କରାଯାଇଥିବାବେଳେ ତଦନ୍ତ ଜାରି ରହିଥିବା ଏସଡିପିଓ ଶ୍ରୀ ମାଝୀ ସୂଚନା ଦେଇଥିଲେ I ଏହି ସାମ୍ବାଦିକ ସମ୍ମିଳିନୀରେ ମ.ରାମପୁର ଥାନା ଅଧିକାରୀ ବିରବର ଭଗତ, ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକା, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଉପସ୍ଥିତ ଥିଲେ I ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି l ଏ ନେଇ ମ.ରାମପୁର ଥାନାରେ କେଶ ନଂ ୨୯୫ରେ ଏକ ମାମଲା ରୁଜୁ ହୋଇଛି l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ