ନାବାଳକଙ୍କ ଆତ୍ମହତ୍ୟ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ
ଚନ୍ଦାହାଣ୍ଡି, ୨୯/୧୦ ( ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଚକାମାଲ ଗ୍ରାମର ଭୁବନ ସୁନାଙ୍କ ପୁଅ ଓମ୍ପ୍ରକାଶ ସୁନା(୧୭) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଚକାମାଲ ଗାଁ ନିକଟସ୍ଥ ନଦୀ କୂଳରେ ଥିବା ଗଛରେ ଓମ୍ପ୍ରକାଶ ବେକରେ ରଶି ଦେଇ ଝୁଲୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ବାପା ଭୁବନଙ୍କୁ ଖବର ଦେଇଥିଲେ। ପରେ ଭୁବନ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଓମ୍ପ୍ରକାଶ ଛଟପଟ ହେଉଥିଲେ । ତୁରନ୍ତ ବେକରେ ଲାଗିଥିବା ରଶି କାଟି ପୁଅକୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ | କିନ୍ତୁ ଡାକ୍ତର ଓମ୍ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଭୁବନ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ସହ ନିଜ ଗ୍ରାମର ତ୍ରିଲୋଚନ ସୁନା ଏବଂ ଅମର ନାଗ ମାନସିକ ନିର୍ଯାତନା ଦେବାରୁ ତାଙ୍କ ପୁଅ ଏଭଳି ପଦକ୍ଷେପ ନେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଚକାମାଲ ଗ୍ରାମର ପାରେଶ୍ଵର ହଂସଙ୍କ ଝିଅ ଛତିଶଗଡ଼ର ଲଦ୍ରା ଗ୍ରାମର ଜନୈକ ଯୁବକଙ୍କୁ ବିବାହ କରିବା ନିମନ୍ତେ ଫେରାର ହୋଇଯାଇଥିଲା । ଏଥିରେ ଓମ୍ପ୍ରକାଶଙ୍କ ହାତ ଥିବା ନେଇ ଅମର ନାଗ ଓ ତ୍ରିଲୋଚନ ସୁନା ଜାଣିବାକୁ ପାଇଥିଲେ। ତେଣୁ ଏହି ଘଟଣାରେ ଗିରଫ କରାଇବା ପାଇଁ ତ୍ରିଲୋଚନ ବାରମ୍ବାର କହୁଥିବାରୁ ମୋ ପୁଅ ଆତ୍ମହତ୍ୟା କରିଥିବା ନେଇ ଭୁବନ ଏତଲାରେ ଉଲ୍ଲେଖ କରିଛନ୍ତି । ଏ ନେଇ ପୁଲିସ କେଶ୍ ନଂ-୧୫/୨୫ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ବେଳେ ଏଏସ୍ଆଇ ଲାବାନ୍ୟ ବେମାଲ ଘଟଣାର ତଦନ୍ତ କରୁଛନ୍ତି।