ନାଗାବାଲି ନଦୀରେ ବୁଡ଼ି ନାବାଳକ ର ମୃତ୍ୟୁ
ରାୟଗଡ଼ା, ୦୪ / ୧୦ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋତାପେଟା ପଞ୍ଚାୟତର କୋତାପେଟା ଗାଁରେ ଗୋଟିଏ ଅଭାବନୀୟ ଦୁଃଖଦ ଘଟଣା ଘଟିଛି। ସ୍ଥାନୀୟ 15 ବର୍ଷର ନାବାଳକ ସାଗର ମିନିଆକା ଶୁକ୍ରବାର ଦିନ ନାଗାବାଲି ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ସୂତ୍ର ଅନୁସାରେ ସାଗର ଦୁଇଜଣ ସାଙ୍ଗ ସହିତ ନଦୀରେ ପହଁରିବାକୁ ଯାଇଥିଲେ। ପହଁରିବା ସମୟରେ ସେ ଅଚାନକ ନଦୀର ମଝିଭାଗକୁ ଯାଇ ପାଣିରେ ବୁଡିଗଲେ। ଯେଉଁଠି ତାଙ୍କ ସାଙ୍ଗମାନେ ସୁରକ୍ଷିତ ଭାବେ କୂଳକୁ ଆସିପାରିଥିଲେ, କିନ୍ତୁ ସାଗର ପାଣିରେ ବୁଡି ଚାଲିଗଲେ। ସାଙ୍ଗମାନେ ଚିତ୍କାର କରି ଗ୍ରାମବାସୀଙ୍କୁ ଖବର ଦେଲେ। ଗ୍ରାମବାସୀମାନେ ଦୌଡ଼ିଆସି ଉଦ୍ଧାର ଚେଷ୍ଟା କଲେ, କିନ୍ତୁ ନଦୀରେ ପାଣି ଅଧିକ ଥିବାରୁ ଖୋଜାଖୋଜି କଷ୍ଟକର ହୋଇଥିଲା। ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଗଲା। ସୂଚନା ପାଇଁ ଅଗ୍ନିଶମ ବିଭାଗର ଟିମ ତୁରନ୍ତ ସ୍ଥାନରେ ପହଞ୍ଚି ଖୋଜାଖୋଜି ଆରମ୍ଭ କଲା। ସ୍ଥାନୀୟମାନେ କହିଛନ୍ତି ଯେ ନାଗାବାଲି ନଦୀରେ ପାଣିର ଭୀଷଣ ପ୍ରବାହ ଥିବାରୁ ଏପରି ଦୁର୍ଘଟଣା ସାଧାରଣତଃ ଘଟେ। ଅବଶେଷରେ ଶନିବାର ସକାଳ ୬ଟା ସମୟରେ ଅଗ୍ନିବିଭାଗ ଦଳ ହାତୀପଥର ନିକଟରୁ ସାଗରଙ୍କ ମୃତଦେହକୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି