Hot Posts

6/recent/ticker-posts

ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ

ରାୟଗଡା, ୧୩/୦୯ ( ଭି ଗୌରି ଶଙ୍କର ରାଓ ) : ସ୍ୱଚ୍ଛତା ପଖ୍ୱାଡ଼ା ଅବସରରେ ଇଗ୍ନୋ ଦ୍ଵାରା ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶାଳ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଇଗ୍ନୋ ସମନ୍ୱୟକାରୀ ଡ଼. ସରସ୍ଵତୀ ରାୟ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ରେଡ୍ କ୍ରସ, ଏନ୍. ସି. ସି, ଏନ୍.ଏସ.ଏସ ସ୍ବେଛାସେବୀ, ଅଧ୍ୟାପକ- ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟ ପରିସର ସହିତ ବିଭିନ୍ନ ବିଭାଗ, ଶ୍ରେଣୀଗୃହ ଓ ଖେଳ ପଡିଆ ରେ ସ୍ୱଚ୍ଛତା କାର୍ଯ୍ୟ କରାଯାଇଥିଲା। ରେଡ୍ କ୍ରସ, ଏନ୍. ସି. ସି, ଏନ୍.ଏସ.ଏସ ସ୍ବେଛାସେବୀ ଓ ଛାତ୍ରଛାତ୍ରୀମାନେ ଝାଡ଼ୁ ହାତରେ ଧରି ପରିସରକୁ ପରିଷ୍କାର କରିଥିଲେ ଓ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିଥିଲେ । ସ୍ୱଚ୍ଛତା କାର୍ଯ୍ୟକ୍ରମ ପରେ ସ୍ୱଚ୍ଛତା ସଚେତନତା ସଭା ଆୟୋଜିତ ହୋଇଥିଲା। ସଭାରେ ଅଧ୍ୟକ୍ଷା ଡ଼. ରାୟ ସ୍ୱଚ୍ଛତାର ଗୁରୁତ୍ୱକୁ ଆଲୋକପାତ କରି କହିଥିଲେ ଯେ, “ସ୍ୱଚ୍ଛତା କେବଳ ପରିବେଶରେ ନୁହେଁ ଆମର ଅନ୍ତର, ମନୋଭାବ, ଆଚରଣ ଓ ଦୈନିକ ଅଭ୍ୟାସରେ ମଧ୍ୟ ପ୍ରତିଫଳିତ ହେବା ଉଚିତ।” ସ୍ୱଚ୍ଛ କ୍ୟାମ୍ପସ୍‌ ହେଉଛି ଆମର ପରିଚୟ।
ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଏହାକୁ ଦୈନିକ ଦାୟିତ୍ୱ ଭାବରେ ନିର୍ବାହ କରିବାକୁ ଉତ୍ସାହିତ କରିଥିଲେ। ପି.ଜି. କାଉନସିଲ୍ ଚେୟାରମେନ ପି. ଅରୁଣ କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ୱଚ୍ଛତା ହେଉଛି ସୁସ୍ଥ ସମାଜ ଓ ସୁସ୍ଥ ଜୀବନର ମୂଳ ଆଧାର। ଯେଉଁଠି ସ୍ୱଚ୍ଛତା ରହେ ସେଠି ସମୃଦ୍ଧି ଓ ଲକ୍ଷ୍ମୀ ବାସ କରନ୍ତି । ସ୍ୱଚ୍ଛ ପରିବେଶ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସହ ସମାଜରେ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଅଧ୍ୟାପକ ସୁବ୍ରତ ପ୍ରଧାନ ତାଙ୍କର ବକ୍ତବ୍ୟରେ ସମସ୍ତଙ୍କୁ ସ୍ୱଚ୍ଛତାକୁ ସାମାଜିକ ଆନ୍ଦୋଳନ ରୂପେ ଗ୍ରହଣ କରିବା ପାଇଁ ଆହ୍ୱାନ କରିଥିଲେ। ଏହାପରେ ଦୁଇଜଣ ଛାତ୍ର-ପ୍ରତିନିଧି ସୁରଜ୍ ଓ ସୁଶୋଭନ୍ ମଧ୍ୟ ସ୍ୱଚ୍ଛତାରେ ଛାତ୍ରଛାତ୍ରୀମାନଙ୍କ ଭୂମିକା, ସଚେତନତା ସୃଷ୍ଟି କରିବା ଓ ସମାଜକୁ ଦିଗ୍ ଦର୍ଶନ କରିବା ବିଷୟରେ ମନ୍ତବ୍ୟ ରଖିଥିଲେ । ଶେଷରେ ସମସ୍ତଙ୍କୁ ଦୈନିକ ଜୀବନରେ ସ୍ୱଚ୍ଛତାକୁ ଅଭ୍ୟାସ କରିବା ଓ ସ୍ୱଚ୍ଛ ଭାରତ ଗଠନରେ ସଚେତନ ଭୂମିକା ନେବାକୁ ଆହ୍ୱାନ ଦିଆ ଯାଇଥିଲା । ଏହି ସଭା ପରିଚାଳନାରେ ଅଧ୍ୟାପକ ଅଭିମନ୍ୟୁ ସିଂ, ପି. ବିନୟ ସହଯୋଗ କରିଥିଲେ ।