ତେରେସିଂହାରେ ମାଁ ପାଟଖଣ୍ଡା ଯାତ୍ରା
କର୍ଲାମୁଣ୍ଡା, ୨୭/୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମାଁ ପାଟଖଣ୍ଡା ଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି l ଗତ ୨୦ ତାରିଖ ଗୁଡ଼ି(ମନ୍ଦିର) ପ୍ରବେଶ ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଗୁଡ଼ିରେ ପୂଜା ପାଉଥିବା ବେଳେ ମା' ଙ୍କର ଯାତ୍ରା ପଡ଼ିଆରେ ଶନିବାର ମା' ପାଟଖଣ୍ଡା ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଯାତ୍ରାରେ ମା'ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା l ଭକ୍ତ ମାନଙ୍କର ମାନସିକ ପୂରଣ ହୋଇ ଥିବାରୁ ଏଠାରେ ବୋଦା, କୁକୁଡ଼ା ବଳି ପଡ଼ିଥିଲା l ଏହି ଯାତ୍ରା ତେରେସିଂହା ସ୍କୁଲ ପଡ଼ିଆର ଗୋଟିଏ ପାର୍ଶ୍ୱରେ ତେରେସିଂହା ଓ ଅପର ପାର୍ଶ୍ଵରେ ବେଲପଡ଼ାର ଯାତ୍ରା ହୋଇଥାଏ l ତେରେସିଂହା ଯାତ୍ରା ଖଳା ପଡ଼ିଆ ଓ ବେଲପଡ଼ା ଯାତ୍ରା ଖଳାରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ଏହି ଯାତ୍ରା କୈବର୍ତ୍ତ ସମ୍ପ୍ରଦାୟର ହୋଇଥିଲେ ହେଁ ଏଥିରେ ବିଭିନ୍ନ ଜାତିର ଲୋକ ବାର ଦେହେଲିଆ ଭାବେ ରହିଥାନ୍ତି l ଯାତ୍ରାର ଏକ ଲୋକ ବିଶ୍ୱାସ ଆଜିବି ରହିଆସିଛି ଯେ, ଯାତ୍ରାର ପୂର୍ବ ରାତ୍ରୀ ପୂଜା ସ୍ଥାନରେ ଗୋରସ ରଖି ଦିଆଯାଇ ଥାଏ ଓ ସେହି ଗୋରସକୁ ରାତ୍ରୀରେ ବାଘ ଆସି ପିଇ ଯାଉଥିବା କୁହାଯାଏ l ତେରେସିଂହା ଯାତ୍ରାର ମୁଖ୍ୟ ପୂଜକ ଦାମ୍ବୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ ଓ ମିନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସମ୍ପାଦକ ସୁବିନ୍ଦ୍ର ରଣା, ଦୈତାରି ନାଏକ, ସନାତନ ନାଏକ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l ସେହିପରି ବେଲପଡ଼ା ଯାତ୍ରା କମିଟି ପକ୍ଷରୁ ସଭାପତି ନୀଳମଣି ଗହିର, ସଂପାଦକ କିଶୋର ଚନ୍ଦ୍ର ନାଏକ ଉପସଭାପତି ଯୁଗଳ କିଶୋର ନାଏକ, ପୂଜକ ପାଦୁକା ନାଏକ, ବରୁଆ ଅର୍ଜୁନ ନାଏକ, ହିତେଶ ନାଏକ (ପାରୋ), ଛତ୍ରିଆ ଗୁର ନାଏକ, ବିଶ୍ୱମ୍ବର ଭୋଇ, ଲୋକନାଥ ଗହୀର, ଦାମା ଭୋଇ, ଅନିରୁଦ୍ଧ ନାଏକ, ଦିଲିପ ଗହୀରଙ୍କ ସମେତ ଅଞ୍ଚଳ ଶତାଧିକ ଶ୍ରଦ୍ଧାଳୁ ସହଯୋଗ କରିଥିଲେ l