ଶମ୍ଭୁନଗର ସେବା ସମିତି ପକ୍ଷରୁ ଗଣେଶଙ୍କ ଭବ୍ୟ ବିସର୍ଜନ
ଭବାନୀପାଟଣା, ୦୬ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଐତିହାସିକ ସହର ଭବାନୀପାଟଣା. ଶମ୍ଭୁନଗର ପଡ଼ା, ୱାର୍ଡ ନମ୍ବର 15 ରେ ଗଣେଶ ପୂଜା ଏକ ବିଶିଷ୍ଟ ପରମ୍ପରାର ରୂପ ନିର୍ମାଣ କରିଅଛି । ଶମ୍ଭୁନଗର ସେବା ସମିତି ପକ୍ଷରୁ ପୂଜାର ଶେଷ ଦିନରେ ଭକ୍ତି, ଆସ୍ଥା ଓ ଉତ୍ସବର ଅପୂର୍ବ ସମନ୍ୱୟରେ ଗଣେଶଙ୍କ ଭବ୍ୟ ବିସର୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସନ୍ଧ୍ୟାରେ ପ୍ରତିମା ପାଖରେ ମହାଆରତି ଓ ପୂଜା ପରେ ବିସର୍ଜନ ଯାତ୍ରାର ଶୁଭାରମ୍ଭ ହେଲା । ପଡ଼ାରେ ହଜାରେ ଭକ୍ତମାନେ ଭିଡ଼ କରିଥିଲେ । ଡି ଜେ ସାଉଣ୍ଡ ସହିତ କୀର୍ତ୍ତନ ଦଳଙ୍କ ଭଜନ-ଗାନ ଓ ଢୋଳ-ନିଶାଣର ଗର୍ଜନରେ ପରିକ୍ରମା ଆରମ୍ଭ ହେବା ସହିତ ସହର ଗଣେଶମୟୀ ହୋଇଯାଇଥିଲା । ଯାତ୍ରାରେ ଯୁବକ, ଯୁବତୀ,ଶିଶୁ ଓ ବୃଦ୍ଧ ସମସ୍ତଙ୍କରେ ସମାନ ଉତ୍ସାହ ଦେଖିବାକୁ ମିଳିଲା । ତାଳ-ଲୟରେ ଅବିରତ ନୃତ୍ୟ, “ଗଣପତି ବପ୍ପା ମୋରିଆ” ର ଜୟଧ୍ୱନି ଓ ରଙ୍ଗିନ ଆଲୋକ ସଜ୍ଜାରେ ସାରା ଯାତ୍ରା ଆକର୍ଷଣୀୟ ହୋଇଥିଲା ।ପଟାକି ପ୍ରଦର୍ଶନ ଭକ୍ତମାନଙ୍କୁ ମନୋହର କରିଦେଇଥିଲା । ପରିକ୍ରମା ବିଭିନ୍ନ ପଡ଼ା, ଓ ମୁଖ୍ୟ ରାସ୍ତା ଦେଇ ଅଗ୍ରସର ହୋଇଥିଲା । ପ୍ରତ୍ୟେକ ସ୍ଥାନରେ ଲୋକମାନେ ଫୁଲ ଓ ପ୍ରଦୀପରେ ଗଣେଶଙ୍କୁ ସ୍ୱାଗତ କରିଥିଲେ । ଏହି ପରିକ୍ରମା ଶେଷରେ ବିସର୍ଜନ ସ୍ଥଳରେ ପ୍ରତିମାକୁ ପାରମ୍ପରିକ ଧାରାରେ ବିଦାୟ ଦିଆଯାଇଥିଲା । ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶମ୍ଭୁନଗର ସେବା ସମିତି ପକ୍ଷରୁ ଗଣେଶ ପୂଜା କମିଟିର ସଦସ୍ୟମାନେ ଏକତା ଓ ଶ୍ରମର ଉଦାହରଣ ସୃଷ୍ଟି କରିଥିଲେ । ଯାତ୍ରା ସୁସ୍ଥିତି ଓ ଶାନ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଥିଲା । ବିସର୍ଜନ ଯାତ୍ରା ସମୟରେ ଉତ୍ସବୀୟ ପରିବେଶ ପ୍ରବାହିତ ହୋଇଥିଲା । ଭକ୍ତମାନଙ୍କ ମନରେ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତିର ସନ୍ତୋଷ ସହିତ ଏହି ବର୍ଷର ପୂଜା ମଧ୍ୟ ଅଭିନବ ସ୍ମୃତି ରେଖିଗଲା ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ