Hot Posts

6/recent/ticker-posts

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା, ୦୪/୦୯ ( ଭି. ଗୌରି ଶଙ୍କର ରାଓ ): ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ୨୦୨୫ ଶିକ୍ଷାବର୍ଷ +୩ କଳା , ବିଜ୍ଞାନ, ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଦିଗ୍ ଦର୍ଶନ ତଥା ସ୍ବାଗତ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଅଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପି. ଅରୁଣ କୁମାର , ପରୀକ୍ଷା ନିୟନ୍ତ୍ରକ ୱାଇ. ଭି ସାଇ ମାଧବ, ପ୍ରଶାସନିକ ଅଧ୍ୟକ୍ଷ ଟି. ଜ୍ୟୋତି, ଲେଫ୍ଟନାଣ୍ଟ ଉଦୟ ନାଏକ, ଏକାଡେ଼ମିକ୍ ଅଧିକ୍ଷକ ଡ଼. ଅଜୟ ରଇତ, ରମେଶ ହୁଇକା ,କୋଷାଧ୍ୟକ୍ଷ ସୁବ୍ରତ କୁମାର ପ୍ରଧାନ , ଭାବେସ ମହାନ୍ତି, ଛାତ୍ରବୃତ୍ତି ଅଧିକାରୀ ତୁବଲ ଵେନିଆଙ୍କ ସହିତ ସମସ୍ତ ବିଭାଗର ବିଭାଗୀୟ ମୂଖ୍ୟ, ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ । ଅଧ୍ୟକ୍ଷା ମହୋଦୟା ଡ଼. ରାୟ ନବାଗତ ମାନଙ୍କୁ ଅଭିନନ୍ଦନ ଜଣାଇ ସ୍ୱାଗତ କରିବା ସହ ତାଙ୍କର ବକ୍ତବ୍ୟରେ, ଶିକ୍ଷା ସହିତ କୌଶଳ ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା, କେବଳ ଭଲ ଛାତ୍ର ହେବାକୁ ନୁହେଁ ବରଂ ଭଲ ମଣିଷ, ଦାୟିତ୍ବବାନ ନାଗରିକ ଓ ଆଦର୍ଶ ସମାଜସେବୀ ହେବାକୁ ଚେଷ୍ଟା କରିବା ଉଚିତ୍ ବୋଲି କହିଥିଲେ ଏଵଂ ସମସ୍ତେ ମିଶି ଶିକ୍ଷା, ସେବା ଓ ସଂସ୍କାରର ଆଦର୍ଶକୁ ଅନୁସରଣ କରି ଏହି ମହାବିଦ୍ୟାଳୟକୁ ଆହୁରି ଗୌରବମୟ କରିବା ପାଇଁ ପ୍ରୟାସ କରିବା ଉଚିତ୍ ବୋଲି ମତପ୍ରକାଶ କରିଥିଲେ।
ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପି. ଅରୁଣ କୁମାର ତାଙ୍କ ଅଭିଭାଷଣରେ ଗବେଷଣାମୂଳକ ଶିକ୍ଷାର ଗୁରୁତ୍ୱ ଉଲ୍ଲେଖ କରି, ଛାତ୍ରଛାତ୍ରୀ ମାନଙ୍କୁ ସମ୍ମିଳନୀ, କର୍ମଶାଳା ଓ ସାହିତ୍ୟିକ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପ୍ରେରିତ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ୱାଇ. ଭି ସାଇ ମାଧବ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ପରୀକ୍ଷା ପ୍ରଣାଳୀ, ଶିକ୍ଷାଗତ ନିୟମାବଳୀ ଓ ଅନ୍ତର୍ନିହିତ ମୂଲ୍ୟାୟନ ପ୍ରକ୍ରିୟା ବିଷୟରେ ଅବଗତ କରାଇଥିଲେ । ସେ, ନିୟମିତ ଶ୍ରେଣୀ ଉପସ୍ଥିତି ଜୋର ଦେଇଥିଲେ । ପ୍ରଶାସନିକ ଅଧ୍ୟକ୍ଷ ଟି. ଜ୍ୟୋତି ଏଵଂ ଲେଫ୍ଟନାଣ୍ଟ ଉଦୟ ନାଏକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ସମସ୍ତ ନିୟମ କାନୁନ ପାଳନ କରି, ସ୍ୱଚ୍ଛ ଓ ଶୃଙ୍ଖଳାପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ପ୍ରେରିତ କରିଥିଲେ । ଏକାଡେ଼ମିକ୍ ଅଧିକ୍ଷକ ଡ଼. ଅଜୟ ରଇତଏଵଂ ରମେଶ ହୁଇକା ତାଙ୍କର ଉଦବୋଧନରେ ସମସ୍ତ ଛାତ୍ରଛାତ୍ରୀ ନିୟମିତ ଶ୍ରେଣୀରେ ଉପସ୍ଥିତି, ପରୀକ୍ଷାରେ ଶିଷ୍ଟାଚାର ପାଳନ , ପାଠ୍ୟକ୍ରମ ଅନୁସରଣ କରି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପ୍ରେରଣା ପ୍ରଦାନ କରିବା ସହ ମହାବିଦ୍ୟାଳୟ କେବଳ ଡିଗ୍ରୀ ପାଇଁ ନୁହେଁ ବରଂ ଜ୍ଞାନ, ମୂଲ୍ୟବୋଧ ଓ ସୃଜନଶୀଳତାର କେନ୍ଦ୍ର ବୋଲି ମତପ୍ରକାଶ କରିଥିଲେ। ତେଣୁ, ଛାତ୍ରଛାତ୍ରୀ ମାନେ ସମସ୍ତେ ପାଠାଗାର, ସେମିନାର, କର୍ମଶାଳା ଓ ପ୍ରକଳ୍ପ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତୁ ବୋଲି କହିଥିଲେ। ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ନୂତନ ଛାତ୍ରଛାତ୍ରୀମାନଙ୍କୁ NSS, NCC, Youth Red Cross, Sports, ସାହିତ୍ୟ ଓ ସାଂସ୍କୃତିକ ସଭାରେ ଯୋଗଦେଇ ନିଜକୁ ଉତ୍ତମ ମଣିଷ ରୂପେ ଗଢ଼ି ତୋଳିବାକୁ ପ୍ରେରଣା ଦେଇଥିଲେ ।କାର୍ଯ୍ୟକ୍ରମର ଶେଷରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ରମେଶ ହୂଇକା ଧନ୍ୟବାଦ ପ୍ରଦାନ କରିଥିଲେ।