Hot Posts

6/recent/ticker-posts

ସିନାପାଲି ସଦରରେ କୃତ୍ରିମ ବନ୍ୟା ଯାତାୟାତ ବାଧାପ୍ରାପ୍ତ

ସିନାପାଲି, ୨୭/୦୯ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରେ ଆଜକୁ ତିନି ଦିନ ହେବ ଝିପିଝିପି ବର୍ଷା ଲାଗି ରହିଛି। ଏହି ଝିପିଝିପି ବର୍ଷା ଯୋଗୁଁ ସିନାପାଲି ସହରର ପାଣି ନିଷ୍କାସନ ସକାଶେ କୌଣସି ବ୍ୟବସ୍ଥା ନଥିବାରୁ ସ୍ଥାନେ ସ୍ଥାନେ ବର୍ଷା ପାଣି ଜମି କୃତ୍ରିମ ବନ୍ୟା ପାଲଟିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ସିନାପାଲି ବସ ଷ୍ଟାଣ୍ଡରୁ ବିଜୁ ଏକ୍ସପ୍ରେସ ରାସ୍ତା ପର୍ଯ୍ୟନ୍ତ। ବସ ଷ୍ଟାଣ୍ଡ ଠାରୁ ବିଜୁ ଏକ୍ସପ୍ରେସ ସିନାପାଲି ଥାନା କାର୍ଯ୍ୟାଳୟ ପଛ ପଟ ରାସ୍ତାରେ ଆଣ୍ଠୁଏ ପାଣି ଦୀର୍ଘ ୨୦୦ମିଟର ପର୍ଯ୍ୟନ୍ତ ଜମା ହୋଇ ରହିଛି। ପାଣି ନିଷ୍କାସନ ସକାଶେ କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ଏହି ରାସ୍ତା ଦେଇ ସିନାପାଲି ଅଞ୍ଚଳର ଲୋକେ ପଡୋଶୀ ଛତିଶଗଡ ରାଜ୍ୟକୁ ଯାତାୟାତ କରିଥାନ୍ତି। ଏତତ୍ ବ୍ୟତୀତ ଏହି ରାସ୍ତା ଦେଇ ସିନାପାଲି ସହରର ଛାତ୍ର ଛାତ୍ରୀ ସିନାପାଲି କଲେଜ କୁ ଅଧ୍ୟୟନ ପାଇଁ ଯାତାୟାତ କରିଥାନ୍ତି। ଅଞ୍ଚଳର ଲୋକେ ସିନାପାଲି ଡାକ୍ଟରଖାନା ସିନାପାଲି ଏଡିଜେଏମ୍ କୋର୍ଟ, ଉଦ୍ୟାନ ବିଭାଗ, ପ୍ରାଣୀ ଚିକିତ୍ସାଳୟ ଆଦି ଅନେକ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି। ବର୍ତ୍ତମାନ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇଥିବାରୁ ଯାତାୟତରେ ବାଧା ଉପୁଜିଛି। ତତ୍ ସହିତ ସ୍ଥାନୀୟ ପରିବାର ନାହିନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯୋଗ୍ୟ ଯେ ଏହି ରାସ୍ତା କିଛି ମାସ ପୂର୍ବେ ପି. ଡବ୍ଲୁ.ଡି. ବିଭାଗ ଦ୍ଵାରା ମରାମତି କରାଯାଇଥିଲା। କିନ୍ତୁ ମରାମତି ହୋଇଥିବା ସ୍ଥାନରେ ପାଣି ଜମାଟ ବାନ୍ଧିଥିବାରୁ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଣିପାଗର ସୂଚନା ଅନୁଯାୟୀ ଆଗକୁ ବର୍ଷା ହେବାର ସୂଚନା ରହିଛି। ଯଦି ଆଗକୁ ବଡ଼ ଧରଣର କିମ୍ବା ନିୟମିତ ବର୍ଷା ହୁଏ ସ୍ଥାନୀୟ ବାସିନ୍ଦା ଘରକୁ ପାଣି ପଶିବା ସୁନିଶ୍ଚିତ ଅଟେ। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏହାର ନିରାକରଣ ସକାଶେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛନ୍ତି। ବର୍ତ୍ତମାନ୍ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏହାର ସମାଧାନ ଦିଗରେ କଣ ପଦକ୍ଷେପ ନେଉଛନ୍ତି।