ତେରେସିଂହା ଗ୍ରାମର ବିଭିନ୍ନ ସାହିରେ ପୁଅ ଜିଉଁନ୍ତିଆ ଓଷା ପାଳିତ
କର୍ଲାମୁଣ୍ଡା, ୧୪/୦୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବିଭିନ୍ନ ସାହିରେ ପୁଅ ଜିଉଁନ୍ତିଆ ଓଷା ରବିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଛି I ପଶ୍ଚିମାଞ୍ଚଳରେ ଏହା "ପୁଅ ଜିଉଁନ୍ତିଆ" ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହୋଇଥାଏ I ମାଆମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ କରିବା ପାଇଁ ନିର୍ଜଳା ଉପବାସ କରି ଏହି ଓଷା ପାଳନ କରିଥାନ୍ତି I ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ I ଓଷା ପରଦିନ ଅର୍ଥାତ ନବମୀ ତିଥିରେ ଭୋର ସକାଳୁ ନାରୀମାନେ ଗାଧୋଇ ପୂଜାର୍ଚ୍ଚନା ସାରି ପୁଅ ମାନଙ୍କୁ ଜିଉଁନ୍ତିଆ ପିନ୍ଧାଇଥାନ୍ତି I ଏହି ଓଷା ତେରେସିଂହା ସମେତ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ପାଳିତ ହୋଇ ଯାଇଛି I