Hot Posts

6/recent/ticker-posts

ଧର୍ମ, ସଂସ୍କୃତି ଓ ଆନନ୍ଦରେ ପୂର୍ଣ୍ଣ ହେଲା ଝାରବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ

ଝାରବନ୍ଧ, ୧୬ / ୦୮ :  "ୟଦା ୟଦା ହି ଧର୍ମସ୍ୟ, ଗ୍ଲାନିର୍ଭବତି ଭାରତ…" –ଏହି ଶ୍ରୀମଦଦ୍ଭଗବଦଗୀତା ର ପବିତ୍ର ଶ୍ଲୋକର ସ୍ମୃତି ସହିତ ଝରବନ୍ଧର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏବର୍ଷର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଏକ ଧାର୍ମିକ ପର୍ବକୁ ନୁହେଁ, ଅଧିକରେ ଭକ୍ତି, ଭାବନା ଓ ଆନନ୍ଦର ମହାମେଳାରୂପେ ଆଜି ପରିଣତ ହୋଇଥିଲା । କୁନି କୁନି ଶିଶୁ- ଭାଇ ଭଉଣୀ ମାନେ ସେହି ଗୋଲୋକୀୟ ଲୀଳାର ପାତ୍ରରେ ପରିଣତ ହୋଇ, କେହି ରାଧା, କେହି କୃଷ୍ଣ, କେହି ବଳରାମ, ଯଶୋଦା, ଦେବକୀ, ବସୁଦେବ ଭେଷରେ ବିଦ୍ୟାଳୟର ପ୍ରାଙ୍ଗଣକୁ ଦିବ୍ୟ କରିଥିଲେ । ଆଜି ପଟାକିର ଧ୍ୱନି, କୀର୍ତ୍ତନର ମାଧୁର୍ୟ, ଓ “ହରିବୋଲ” ଧ୍ୱନିରେ ସମଗ୍ର ଝରବନ୍ଧ ଆନନ୍ଦ-ସାଗରରେ ବିଲୀନ ହୋଇଗଲା ।

ଦହି ହାଣ୍ଡି ଭାଙ୍ଗିବାର ସେହି ମୁହୂର୍ତ୍ତ, ସତେ ଯେମିତି ସାକ୍ଷାତ ପ୍ରଭୁ ଶ୍ରୀକୃଷ୍ଣ ଆମ ସହିତ ଗୁପ୍ତ ଭାବରେ ରହିଛନ୍ତି, ମନେ ହେଉଥିଲା ମଥୁରାରୁ ଗୋକୁଳକୁ ବସୁଦେବଙ୍କ ପାଦଚିହ୍ନ ପୁଣିଥରେ ପ୍ରକାଶିତ କରୁଛି । କୀର୍ତ୍ତନ ସହିତ ନଗର ପରିକ୍ରମା କରୁଥିବା ବେଳେ, ଶିଶୁ-ଭକ୍ତମାନଙ୍କ ପାଦସ୍ପର୍ଶରେ ଝାରବନ୍ଧର ରାସ୍ତା ମଧ୍ୟ ପବିତ୍ରତାରେ ଭିଜିଯାଇଥିଲା । ପରିକ୍ରମାରେ ପ୍ରଥମେ ଝାରବନ୍ଧ ସ୍ଥିତ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା, ପରେ ବନଦୁର୍ଗା ମନ୍ଦିର ଫାଟକରେ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ — ସେହି ଦୃଶ୍ୟଟି ମନେ ପକାଉଥିଲା, ଗୋକୁଳରେ ମାଁ ଯଶୋଦାଙ୍କ ହାତରେ ବାଳକ କୃଷ୍ଣଙ୍କୁ ମିଷ୍ଟାନ୍ନ ଦହି ଖୁଆଇବାର ସ୍ନେହ-ସ୍ମୃତି । ଏହି ଉତ୍ସବକୁ ସଫଳ କରିଥିଲେ ଝାରବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଗୁରୁଜୀ-ଗୁରୁମା, ସେବିକା, ବାହାନାଚାଳକ ଭାଇମାନେ । ପରିଚାଳନା ସମିତିର ସଦସ୍ୟ କୁମାର ଗୌରବ ବେହେରା, ଅନିରୁଦ୍ଧ ବେହେରା, ନବୀନ କୁମାର ମିତ୍ତଳ ଓ ଗ୍ରାମର ଭଦ୍ରବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହି ଭକ୍ତିର ସ୍ୱର-ତାଳରେ ସାମିଳ ହୋଇଥିଲେ । ଝାରବନ୍ଧରେ ଏହି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେବଳ ଏକ ପର୍ବ ନୁହେଁ, ଏହା ଥିଲା ସନାତନ ଧର୍ମର ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ଜୀବନ୍ତ ପ୍ରତିଚ୍ଛବି ।