ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ, ୮ ସ୍ଥାନରେ ବ୍ୟାପକ ଚଢ଼ାଉ
ଅନୁଗୋଳ, ୧୮ / ୦୮ : ରାଜ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ବିରୋଧରେ ଭିଜିଲାନ୍ସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୋମବାର ସକାଳେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ବ୍ୟାପକ ତଳାଶି ଆରମ୍ଭ ହୋଇଥିବା ବେଳେ, ସମାନ୍ତରାଳ ଭାବରେ ୮ଟି ସ୍ଥାନରେ ଭିଜିଲାନ୍ସ ଅଭିଯାନ ଚାଲିଛି। ଏହି ଚଢ଼ାଉରେ ୩ ଡିଏସ୍ପି, ୧୦ ଇନ୍ସପେକ୍ଟର ଓ ୪ ଏଏସ୍ଆଇ ସହିତ ବଡ଼ ପୁଲିସ୍ ଦଳ ସାମିଲ ହୋଇଛି। ଅନୁଗୋଳ, ଭୁବନେଶ୍ୱର, ସୁନ୍ଦରଗଡ଼, ଗଞ୍ଜାମ ଓ ରାଉରକେଲାରେ ସମ୍ପତ୍ତି ଖୋଜାଖୋଜି ହେଉଛି। ସୂଚନା ଅନୁସାରେ, ସୁନ୍ଦରଗଡ଼ ଟାଉନରେ ତିନିମହଲା ବିଶିଷ୍ଟ ଘର, ରାଉରକେଲାର ଗୋପବନ୍ଧୁ ନଗରରେ ଦୁଇମହଲା କୋଠା, ଗଞ୍ଜାମ ଜିଲ୍ଲାର ପୈତୃକ ଓ ଶ୍ୱଶୁର ଘର, ଭୁବନେଶ୍ୱରର ଅରୋଭିଲା-୧, ଘାଟିକିଆରେ ଥିବା ଫ୍ଲାଟ୍, ସହିତ ଅନୁଗୋଳ ଜଳସେଚନ କଲୋନୀର ସରକାରୀ କ୍ୱାର୍ଟର ଓ ବେହେରାଙ୍କ କାର୍ଯ୍ୟାଳୟ କକ୍ଷରେ ତଳାଶି ଚାଲିଛି। ଭିଜିଲାନ୍ସ ଟିମ୍ ଆୟ ବହିର୍ଭୂତ ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ମୋଟ ଆକଳନ ସମ୍ଭବ ହୋଇନାହିଁ, କିନ୍ତୁ ପ୍ରାଥମିକ ସୂଚନା ଅନୁସାରେ, ସମ୍ପତ୍ତିର ପରିମାଣ ‘ଠୁଳ’ ହେବାର ସନ୍ଦେହ ସ୍ପଷ୍ଟ।