ସାବତ ବାପାଙ୍କ ଦୁଷ୍କର୍ମରେ ୧୨ ବର୍ଷୀୟା ନାବାଳିକା, ପାଲଲହଡ଼ାରେ ଅଭିଯୋଗ – ପୋଲିସ ଅଟକରେ ଅଭିଯୁକ୍ତ
ଅନୁଗୋଳ, ୧୯ / ୦୮ : ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକା ଝିଅଙ୍କୁ ସାବତ ବାପାଙ୍କ ଦ୍ୱାରା ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂତ୍ର ଅନୁଯାୟୀ, ଦେବଗଡ଼ ଜିଲ୍ଲାର ଜଣେ ମହିଳା ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବତନ ବିବାହରୁ ଜଣେ ଝିଅ ଥିବାରୁ ସେହି ନାବାଳିକାକୁ ପାଲଲହଡ଼ାର ଏକ କନ୍ୟାଶ୍ରମରେ ପଢ଼ିବା ପାଇଁ ରଖାଯାଇଥିଲା। ଗତ ୧୫ ଅଗଷ୍ଟରେ ସାବତ ବାପା ଆଈଙ୍କ ଦେହଖରାପ ଥିବା ଉଲ୍ଲେଖ କରି ଝିଅକୁ ସାଙ୍ଗରେ ନେଇଯାଇଥିଲେ। ସେହି ସମୟରେ ଘରକୁ ନେଇ ନିଜ ସାବତ କନ୍ୟାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ପରବର୍ତ୍ତୀ ଦିନ ସେ ଝିଅକୁ ପୁଣି କନ୍ୟାଶ୍ରମରେ ଛାଡ଼ି ଦେଇଥିଲେ। ସୋମବାର ମା’ ଓ ସାବତ ବାପା ପୁଣି କନ୍ୟାଶ୍ରମକୁ ଝିଅକୁ ନେବାକୁ ଆସିଥିବା ବେଳେ, ଭୟଭୀତ ଝିଅ ସମସ୍ତ ଘଟଣାକୁ ମା’ଙ୍କୁ କହିଦେଇଥିଲେ। ପରେ ଝିଅଙ୍କ ମାମୁଘର ପକ୍ଷରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପାଲଲହଡ଼ା ପୋଲିସ ଅଭିଯୁକ୍ତ ସାବତ ବାପାଙ୍କୁ ଅଟକରେ ରଖି ପଚରାଉଚୁରା କରୁଛି। ହେଲେ, ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳରେ ଘଟିଥିବାରୁ ପାଲଲହଡ଼ା ପୋଲିସ ଶୂନ୍ୟ ଏତଲା ରୁଜୁ କରି, ସମ୍ପୃକ୍ତ ଥାନାକୁ ମାମଲା ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହୋଇଛି। ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ କହିଛନ୍ତି, “ଘଟଣାକୁ ଗୁରୁତ୍ୱ ସହ ନିଆଯାଇଛି। ନାବାଳିକାଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ପାଇଁ ସମସ୍ତ ପ୍ରୟାସ ହେଉଛି ।”