ଓଲଟି ପଡ଼ିଲା ହଲ କରିବା ପାଇଁ ଯାଉଥିବା ଟ୍ରାକଟର, ଚାଲକ ମୃତ
ନବରଙ୍ଗପୁର, ୨୦ / ୭ ( ନକୁଳ ଭତ୍ରା ) : ଏକ ଦୁଃଖଦ ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ଯୁବ ଚାଳକ ତାଙ୍କ ଜୀବନ ହରାଇଛନ୍ତି। ଏହି ଘଟଣା ଘଟିଛି ଗତକାଲି ଅପରାହ୍ନ ସମୟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଶିଂସାରି ଫାଣ୍ଡି ଅଧୀନ ଘୋଡ଼ାଖୁଣ୍ଟା ନନ୍ଦପୁରା ମୁଖ୍ୟ ରାସ୍ତା, ହୁଣ୍ଡାର ଗୁଡ଼ା ଛକ ନିକଟରେ। ସୂଚନା ଅନୁଯାୟୀ, ଟ୍ରାକ୍ଟର ସଂଖ୍ୟା ଓଡି-୨୪-ଏଲ-୬୩୮୦ ହଳ କାମ ପାଇଁ ଯାଉଥିବାବେଳେ ଅଚାନକ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଚାଳକ ରମେଶ ଓଡ଼ (ବୟସ ୩୦), ହୁଣ୍ଡାର ଗୁଡ଼ା ଗ୍ରାମବାସୀ, ଟ୍ରାକ୍ଟର ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଘଟଣା ର ସୂଚନା ମିଳିଥିବା ସଙ୍ଗେସଙ୍ଗେ ଡାବୁଗାଁ ଥାନାର ଏସଆଇ ଚନ୍ଦ୍ରଶେଖର ହଜାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ହେବା ପରେ ତାହାକୁ ପରିବାର ପକ୍ଷରେ ହସ୍ଥାନ୍ତର କରାଯିବ ବୋଲି ଏସଆଇ ଅଧିକୃତ ଭାବେ କହିଛନ୍ତି। ଏନେଇ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ ହେଲାପରେ ଆଗକୁ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।