ମଦ ବିରୋଧରେ ଗ୍ରାମର ଶତାବ୍ଦିକ ମହିଳାଙ୍କ ଦୃଢ଼ ପଦକ୍ଷେପ — ଘରେ ଘରେ ପଶି ମଦ ବୋତଳ ଭାଙ୍ଗିଲେ
ନବରଙ୍ଗପୁର, ୧୫ / ୭ ( ନକୁଳ ଭତ୍ରା ): ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ବେନରା ପଞ୍ଚାୟତ ଅନ୍ତର୍ଗତ କଳିବେଡ଼ା ଗ୍ରାମରେ ମଦ ବିରୋଧରେ ଏକ ଦୃଢ଼ ଆନ୍ଦୋଳନ ଦେଖାଯାଇଛି। ଗ୍ରାମର ଶତାବ୍ଦିକ ମହିଳା ମାନେ ଘରେ ଘରେ, ଦୋକାନରେ ପଶି ମଦ ବୋତଳ ଆଣି ରାସ୍ତା ଉପରେ ଭାଙ୍ଗିଦେଇଛନ୍ତି। ଏହି ଅଭିଯାନ ଜଣେ ନାରୀ ମାନସିକତା ଓ ସ୍ୱାଭିମାନର ପ୍ରତିକ ବୋଲି ଲୋକମାନେ ବ୍ୟାଖ୍ୟା କରୁଛନ୍ତି। ଗତ କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ଅଞ୍ଚଳକୁ ମଦମୁକ୍ତ କରିବା ପାଇଁ ଚାଲିଥିବା କାର୍ଯ୍ୟକ୍ରମ ଏହି ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ତାହା ପରେ ମଦ ବିକ୍ରୟ ଓ ସେବନ ଅବାଧରେ ଚାଲିଥିଲା। ଏଥି ପାଇଁ ଗ୍ରାମର ମହିଳାମାନେ ନିଜ ଦୁଃଖ ଅନୁଭବ କରି ଆଜି ରାସ୍ତାକୁ ଓଳିଆସିଛନ୍ତି। ମଙ୍ଗଳବାର ଦିନ ସପ୍ତାହିକ ବଜାର ବସୁଥିବା ସମୟରେ, ସେମାନେ ମଦ ବିକ୍ରି କରୁଥିବା କେତେକ ଦୋକାନ ଓ ଘର ଉପରେ ଚଢ଼ାଉ କରି ମଦ ବୋତଳ ଜବତ କରି ଭାଙ୍ଗିଦେଇଥିଲେ। ସ୍ଥାନୀୟ ମହିଳାମାନଙ୍କ କହିବାନୁସାରେ, ଗ୍ରାମର ପୁରୁଷମାନେ ଘରର ଟଙ୍କା ନେଇ ମଦ ଖରିଦ କରି ମାତାଲ୍ ଅବସ୍ଥାରେ ଘରକୁ ଫେରୁଛନ୍ତି ଓ ପରିବାରରେ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି। ଏହି ଅଞ୍ଚଳର କିଛି ଦୋକାନୀ ୪–୫ ବର୍ଷ ହେଉଛି ମଦ ବ୍ୟବସାୟ କରୁଛନ୍ତି ବୋଲି କିଛି ଭଦ୍ରବ୍ୟକ୍ତି ଙ୍କ ମୁଖରୁ ଶୁଣାଯାଇଛି । ଏହି ଘଟଣା କେବଳ ଏକ ଗ୍ରାମ ର ଦୃଶ୍ୟ ନୁହେଁ, ବରଂ ଏହା ନାରୀ ସଶକ୍ତିକରଣ, ସାମାଜିକ ଦାୟିତ୍ୱ ଓ ଆଗାମୀ ପିଢି ପାଇଁ ଏକ ଶୁଭ ସଂକେତ। ଏହି ମହିଳା ମାନଙ୍କ ପଦକ୍ଷେପ ସରକାର ଓ ପ୍ରଶାସନ ପାଇଁ ଏକ ଚେତାବନୀ ବୋଲି କହିବାକୁ ଅତିଶୟୋକ୍ତି ହେବ ନାହିଁ।