ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ବାଦ ପଡ଼ିଥିଲେ ନିଶ୍ଚୟ ଦେଖନ୍ତୁ
ଭୁବନେଶ୍ୱର, ୩୦ / ୭ : — ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ପାଇଁ ଖୁସି ଖବର। ଗୃହିଣୀ ସ୍ୱାବଲମ୍ବୀ ଯୋଜନା — ‘ସୁଭଦ୍ରା’ ର ତୃତୀୟ କିସ୍ତି ଟଙ୍କା ଅଗଷ୍ଟ ୯ ରେ ଖାତାକୁ ଅସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ଏହା ପରେ ସୁଭଦ୍ରା ପୋର୍ଟାଲ ପୁଣିଥରେ ଖୋଲିବାକୁ ଯାଉଛି, ଯାହା ମାଧ୍ୟମରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନେ ନୂଆ ଭାବରେ ଆବେଦନ କରିପାରିବେ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି — ଯେଉଁ ଯୁବତୀ/ମହିଳାଙ୍କ ବୟସ ୨୧ ବର୍ଷ ହୋଇଛି ଓ ସେମାନେ ଏପର୍ଯ୍ୟନ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି, ସେମାନେ ଆସନ୍ତା ଦିନରେ ମଧ୍ୟ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏହି ନୂଆ ଫେଜରେ ଏକ ବିଶେଷ ସର୍ଭେ ମାଧ୍ୟମରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ସୁଭଦ୍ରା ଯୋଜନା ଅନୁସାରେ, ପୂର୍ବରୁ ଦୁଇଟି କିସ୍ତିରେ ୧ କୋଟିରୁ ଅଧିକ ମହିଳା ପାଇଛନ୍ତି ମୋଟ ୧୦ ହଜାର ଟଙ୍କା। ଅଗଷ୍ଟ ୯ ତାରିଖରେ ତୃତୀୟ କିସ୍ତିର ଟଙ୍କା ମଧ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିବା ଯୋଜନା ରହିଛି। ସୁଭଦ୍ରା ଯୋଜନା କେବଳ ଅର୍ଥ ନୁହେଁ — ଏହା ଏକ ସମ୍ମାନ, ଏକ ଅଧିକାର ଓ ଏକ ସ୍ୱାବଲମ୍ବନ ଯାତ୍ରାର ଆରମ୍ଭ। ରାଜ୍ୟ ସରକାର ଏହି ଯୋଜନାକୁ ଗ୍ରାସରୁଟ୍ ସ୍ତରରେ ପହଞ୍ଚାଇବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛି। ନିର୍ଦ୍ଦେଶ ମୁତାବକ୍ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ୍ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଜାରି ଅଛି।