Hot Posts

6/recent/ticker-posts

ଜଗତକୁ କର ରକ୍ଷା

ଜଗତକୁ କର ରକ୍ଷା


ଗୁରୁ ପଦଟିଏ ଗୌରବର ପଦ
ବିଭୁଙ୍କର ବରଦାନ
ଗୁରୁ ହୋଇ ଯଦି ହୁଏ ଜ୍ଞାନ ହୀନ
ଧନ୍ଯ ତାର ଗୁରୁପଣ |
ଜ୍ଞାନର ଆଲୋକେ ଅଜ୍ଞାନ ଅନ୍ଧାର
କରିପାରେ ଯିଏ ଦୂର
ସେ ଯଦି ଆଚରେ ଅଜ୍ଞାନୀ ପାମର
ତାକୁ କି କହିବା ନର I
ସତ୍ୟର ପ୍ରତୀକ ଅଟନ୍ତି ଯେ ଗୁରୁ
ନୁହେଁ ମିଛ ପ୍ରହେଳିକା
ମନେ ଯାର ଛନ୍ଦ ଅନ୍ତରେ କପଟ
ସିଏ କି ଗୁରୁରେ ଲେଖା ।
ଶିଷ୍ୟକୁ ସୁ ଶିକ୍ଷା ପ୍ରଦାନ କରିବା
ଗୁରୁଙ୍କ ଅଟେ ଆଦର୍ଶ
ହେଲେ ପ୍ରଥଚ୍ଯୁତ ଗୁରୁ ଶିଷ୍ୟଙ୍କର
ରହେ କି ଆଉ ଆକର୍ଷ ।
ନିସ୍ବାର୍ଥ ରୂପରେ ଶିଷ୍ୟର ସଫଳେ
ଗୁରୁଙ୍କ ସର୍ବଦା ମନ
ହେଲେ ସ୍ଵାର୍ଥପର ନିଜର ସ୍ଵଭାବ
ଆପେ ହୋଇଥାଏ ଲୀନ ।
ଗୁରୁ ହୋଇ ଯଦି ନିଜ ସୁଖ ପାଇଁ
ଉତ୍କୋଚ କରେ ଗ୍ରହଣ
ସେ କାହୁଁ କରିବ ସାମ୍ୟତା ଚିନ୍ତନ
ସ୍ୱାର୍ଥେ ବ୍ୟସ୍ତ ଯାର ମନ ।
ଗୁରୁଙ୍କ ଚରିତ୍ର ଅଟଇ ସଚ୍ଚୋଟ
ଯଦି ହୁଏ ନିଶାଶକ୍ତ
ମାତଳ କିପରି ଗଠନ କରିବ
ଶିଷ୍ୟଙ୍କ ସୁଭବିଷ୍ୟତ ।
ବିଶ୍ୱାସରେ ବିଷ ମଞ୍ଜି ବୁଣି ଦେବା
ନୁହଁଇ ଗୁରୁଙ୍କ ଧର୍ମ
ପ୍ରକୃତରେ ଯିଏ ଗୁରୁ ହୋଇଥିବେ ତାଙ୍କୁ ଜଣା ସାର ମର୍ମ ।
ଗୁରୁଙ୍କ ଦକ୍ଷତା ଗୁରୁଙ୍କ କ୍ଷମତା
ବିନ୍ଦୁ ନୁହେଁ ସେତ ସିନ୍ଧୁ
ଢାଳେ ଯିଏ ଜ୍ୟୋତ୍ସ୍ନା ଜଗତ ମଙ୍ଗଳେ
ସାଜି ନିଜେ ପୂର୍ଣ୍ଣ ଇନ୍ଦୁ ।
ଗୁରୁ ନୁହଁ ନର ଗୁରୁ ହିଁ ଇଶ୍ଵର
ଗୁରୁଦେବ ପରଂବ୍ରହ୍ମ
ଚିତ୍ତରେ ଚିନ୍ତନ କରନ୍ତି ଯେ ଗୁରୁ
ତାହାଙ୍କୁ କୋଟି ପ୍ରଣାମ ।
ଆହେ ଗୁରୁଜନ ସୁ ଶିଷ୍ୟ ଗଠନ
ତୁମ ଜୀବନର ଦୀକ୍ଷା
କୁ ପଥକୁ ତ୍ୟାଗୀ ସୁ ପଥରେ ଗମି
ଜଗତକୁ କର ରକ୍ଷା ।


      ସୁଧାଂଶୁ ରଞ୍ଜନ ସାହୁ
 ଡୁ ମୁ ରି ଆ କ ଳା ହା ଣ୍ଡି
ମୋ 9777136498



 ॥ ଆସ ମଉସୁମୀ ॥।
ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ
          ଅତିଷ୍ଠ ହୁଅଇ ଧରା
ପ୍ରାଣୀଙ୍କ ଆରତ ହୁଏ ଅପ୍ରମିତ
         ଅସହ୍ୟ ହୁଅଇ ଖରା ।
ବୃକ୍ଷ ଲତା ଯେତେ ଅତ୍ୟଧିକ ତାପେ
         ଝାଉଁଲ ପଡ଼ନ୍ତି ବନେ
ପଶୁ ପକ୍ଷୀ ଗଣ ତୃଷାର ଆକୁଳେ
         ଭ୍ରମନ୍ତି ଜଳ ସନ୍ଧାନେ ।
ଚାତକେ ଆର୍ତ୍ତରେ ଡ଼ାକନ୍ତି ବିକଳେ
         ବରଷା ଟୋପାଏ ପାଇଁ
ସଂକଟ କାଳରେ ପାନ କରି ଜଳ
         ବଞ୍ଚିବାର ରାହା ନେଇ ।
ନଈ ନାଲ ବନ୍ଧ ପୁଷ୍କରିଣୀ ଜଳ
          ଶୁଷ୍କ ହୋଇଯିବା ଯୋଗୁଁ
ତ୍ରାହି ତ୍ରାହି ଡାକେ ଜଳଚ଼ର ଜୀବ
           ଉଦ୍ଧାର ମରଣ ଆଗୁଁ ।
କର୍ମଜୀବୀ ନର ହୁଏ ହନ୍ତ ସନ୍ତ
            ବାଧକ ସାଜଇ ତାପ
ଅକାଳେ ବିୟୋଗ କରେ ଅଂଶୁଘାତ
           ଖେଳାଏ ଆତଙ୍କ ଚାପ ।
ମେଘ ସବାରୀରେ ଆସ ମଉସୁମୀ
          ସହି କି ହେଉଛି ଦାଉ
ଝରାଇ ଦିଅ ହେ ଅମୃତ ବରଷା
         ପ୍ରତୀକ୍ଷାର ଅନ୍ତ ହେଉ ।



ସୁଧାଂଶୁ ରଞ୍ଜନ ସାହୁ
 ଡୁ ମୁ ରି ଆ କ ଳା ହା ଣ୍ଡି
ମୋ 9777136498