କୋଭିଡ୍-୧୯ ର ରିଟର୍ନ ଗିଫ୍ଟ : ସତର୍କ ହେଉଛି ଦେଶ
ନୂଆଦିଲ୍ଲୀ, ୫ / ୬ : କିଛିସମୟ ଶାନ୍ତି ପରେ କୋଭିଡ୍-୧୯ ର ଭୂତାଣୁ ପୁନର୍ବାର ନିଜ ଛାୟା ବିସ୍ତାର କରିଛି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସଂକ୍ରମଣ ହାର ଦୃତିଗତିରେ ବଢ଼ିବାରେ ଲାଗିଥିବା ସମୟରେ, କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପୁନଃ ଚୁସ୍ତ ଓ ସଚେତନ କରିବା ଦିଗରେ ଗତି କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଚିକିତ୍ସା ସଂସ୍ଥାଗୁଡ଼ିକରେ ପର୍ଯ୍ୟାପ୍ତ ଅକ୍ସିଜେନ୍, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧ ବ୍ୟବସ୍ଥା ମହଜୁଦ ରହିବା ଆବଶ୍ୟକ। ସହିତେ, ସର୍ଭିଲାନ୍ସ ଓ ଟେଷ୍ଟିଂ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଲୋକମାନଙ୍କୁ ପୁନର୍ବାର ମାସ୍କ ପିନ୍ଧିବା, ସାନିଟାଇଜେସନ୍ ଓ ସମାଜିକ ଦୂରତା ବ୍ୟବହାର କରିବା ଉପରେ ଜୋର ଦିଆଯାଉଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସହିତ ୪,୩୦୨ କୋଭିଡ୍ ସକ୍ରିୟ ରୋଗୀ ରହିଛନ୍ତି। ଏହି ଅବଧିରେ ୭ ମୃତ୍ୟୁ ଘଟିଛି — ଯାହାରୁ ୪ ମୃତ୍ୟୁ ମହାରାଷ୍ଟ୍ରରେ ଓ ଗୋଟେ ଗୋଟେ ଦିଲ୍ଲୀ, କେରଳ ଓ ତାମିଲନାଡୁରେ ଘଟିଛି। ଏହି ଆଂକଡା ୨୦୨୫ ରେ ସର୍ବାଧିକ ହେବା ସୂଚନା ମିଳୁଛି। ଜାନୁଆରୀ ୨୦୨୫ ଠାରୁ ଏପର୍ଯ୍ୟନ୍ତ ୪୪ ଜଣ କୋଭିଡ୍-ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ମଧ୍ୟରେ ଏକ ସ୍ବାସ୍ଥ୍ୟସୂଚନାରେ ଜଣାପଡ଼ିଛି ଯେ, ଅଧିକାଂଶ ନୂଆ ରୋଗୀଙ୍କ ଲକ୍ଷଣ ମାଇଲ୍ଡ ଓ ଶରୀର ଏକ ପ୍ରତିରୋଧକ କ୍ଷମତା ବିକାଶ କରିବା ଦିଗରେ ଥିବାବେଳେ, ୨-୩ ବର୍ଷ ପୂର୍ବରେ ଦିଆଯାଇଥିବା କୋଭିଡ୍ ଟିକାର ପ୍ରଭାବ କ୍ଷୀଣ ହୋଇଥିବା ସମ୍ଭାବନା ବ୍ୟକ୍ତ କରାଯାଇଛି। ଏହି ସବୁ ମଧ୍ୟରେ ଏକ ଆଶାଜନକ ତଥ୍ୟ ହେଉଛି — ଗତ ୨୪ ଘଣ୍ଟା ମଧ୍ୟରେ ୫୮୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସହିତ ସମ୍ପୂର୍ଣ୍ଣ ଭାବେ ଅରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୩,୨୮୧ କୁ ଛୁଇଁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି — ଏହା ଗଭୀର ଆତଙ୍କ ନୁହେଁ, କିନ୍ତୁ ଅବହେଳା ମଧ୍ୟ ଅନୁଚିତ । ନିଜ ଓ ଅନ୍ୟଙ୍କ ସୁରକ୍ଷା ପାଇଁ ପୁନଃ ସାବଧାନ ହେବା ଅତ୍ୟନ୍ତ ଆବଶ୍ୟକ।