ଢେଙ୍କାନାଳରୁ ଶୁଭ ସଙ୍କେତ: ଅର୍ଥନୈତିକ ଓ କ୍ରୀଡ଼ା ବିକାଶକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀଙ୍କ ୫୦,୦୦୦ କୋଟିର ମହାପ୍ରକଳ୍ପ ଘୋଷଣା
ଢେଙ୍କାନାଳ, ୫ / ୬ : ଓଡ଼ିଶାର ଅର୍ଥନୈତିକ ଓ ଉଦ୍ୟୋଗିକ ଦିଗକୁ ନୂତନ ଗତି ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳରେ ଏକ ଦୀର୍ଘ ପ୍ରସ୍ତୁତି ନେଇ ୫୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ନୂଆ ଶିଳ୍ପ ଉନ୍ନୟନ, ସୌର ଶକ୍ତି ଉତ୍ପାଦନ, କ୍ରୀଡ଼ା ସଂସ୍ଥା ତିଆରି ଓ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ଯୋଜନା ଉଲ୍ଲେଖନୀୟ। ମୁଖ୍ୟମନ୍ତ୍ରୀ ଅପରାହ୍ଣ ୪ଟା ୧୫ମିନିଟ୍ରେ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଉପସ୍ଥିତ ହୋଇ ୨୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।
୨୦୨୫ ମଧ୍ୟରେ ବିକାଶର ବଡ଼ ପଦକ୍ଷେପ
୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦ୍ଘାଟନ।
୧୨୦ କୋଟି ଟଙ୍କାର ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର।
୩୦,୦୦୦ କୋଟି ଟଙ୍କା ବ୍ୟୟରେ ସୌର ଶକ୍ତି ପ୍ରକଳ୍ପ ଘୋଷଣା।
ଯୋରନ୍ଦା ମହିମାଗାଦିର ଉନ୍ନତୀ, ଛାଟିଆରେ ୪୦୦୦ କୋଟିର ଆଇନସ୍ ଉଇଣ୍ଡ୍ସ ପ୍ରକଳ୍ପ।
ମୋଟ ୫୦,୦୦୦ କୋଟି ଟଙ୍କାରେ ୪ଟି ଶିଳ୍ପ ପ୍ରକଳ୍ପ ରୂପାୟଣ।
ଏହି ବିକାଶ ଯୋଜନା ମାଧ୍ୟମରେ ଢେଙ୍କାନାଳକୁ ଓଡ଼ିଶାର "ସୌର ଶକ୍ତି ସମୃଦ୍ଧ ଅଗ୍ରଣୀ ଜିଲ୍ଲା" ବନେଇବାକୁ ସରକାର ଲକ୍ଷ୍ୟ ରଖିଛି। ଏଥିରେ ପ୍ରାୟ ୨୬,୪୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଗର୍ବରେ କହିଛନ୍ତି, "ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ୨୧ଟି କାର୍ଯ୍ୟକ୍ରମରୁ ୧୧ଟି କାମ ବର୍ଷ ପୂର୍ବରୁ ପୂରଣ କରାଯାଇଛି। ଲୋକଙ୍କ ବିଶ୍ୱାସ ଆମ ପାଇଁ ଶକ୍ତି, ଏହି ବିଶ୍ୱାସ କେବେ ଭାଙ୍ଗିବୁନି।"
୧୨୦ କୋଟି ବ୍ୟୟରେ ବନିବାକୁ ଥିବା ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫୁଟବଲ୍ , ସିନ୍ଥେଟିକ ଟ୍ରାକ୍, ହକି ଟ୍ରେନିଂ ସେଣ୍ଟର, ସୁଇମିଂ ପୁଲ୍ ଓ ୧୦୦ ଶଯ୍ୟାର କ୍ରୀଡ଼ା ଛାତ୍ରାବାସ ଥିବ।କ୍ଷେତ୍ରର ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଫଳ, ହଳ ଓ ତାଙ୍କର ଉତ୍ପାଦ ବୋହା କରି ବିଶେଷ ଅଭିନନ୍ଦନ ଜଣାଇଥିଲେ।
ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ରୁଦ୍ରନାରାୟଣ ପାଣି, ବିଭିନ୍ନ ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।