Hot Posts

6/recent/ticker-posts

ଗଞ୍ଜାମରେ ଲଜ୍ଜ୍ୟା, ଦୁଇ ନାବାଳିକା ଭଉଣୀଙ୍କ ଉପରେ ବାରମ୍ବାର ବଳାତ୍କାର

ଗୋପାଳପୁର, ୦୬ / ୬ :  – ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ଘଟିଥିବା ଏକ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ସମ୍ପର୍କୀୟ ନାବାଳିକା ଭଉଣୀଙ୍କୁ ଉଠାଇ ନେଇ, ବାରମ୍ବାର ବଳାତ୍କାର କରାଯାଇଥିବା ଅଭିଯୋଗ ଥାନାରେ ଦାଖଲ ହୋଇଛି। ପ୍ରାଥମିକ ତଦନ୍ତ ତଥ୍ୟ ଅନୁଯାୟୀ, ଗତ ୩ ତାରିଖ ରାତିରେ ଗାଁର ୪ ଜଣ ଯୁବକ ନିଜ ଗ୍ରାମର ଦୁଇ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଇ ଉଠାଇ ନେଇଥିଲେ। ପରେ ସେମାନେ ଦୁଇ ଜଣଙ୍କୁ ବିଭିନ୍ନ ସ୍ଥାନରେ ରଖି, ଜୋର ଜବରଦସ୍ତି ବଳାତ୍କାର କରିଥିଲେ। ମାନସିକ ଓ ଶାରୀରିକ ଭାବରେ ଦୁର୍ବଳ ହୋଇଥିବା ନାବାଳିକାମାନେ ଘଟଣା ସମ୍ପର୍କରେ କାହାକୁ କହିପାରି ନଥିଲେ। ଯୁବକମାନେ ଧମକ ଦେଇ ଘଟଣା ଚପାଇ ଦେବା ଉଦ୍ୟମ କରିଥିଲେ। ଯେତେବେଳେ ଦୁଇ ନାବାଳିକା ଅସୁସ୍ଥ ଅନୁଭବ କରି ପରିବାର ଲୋକଙ୍କୁ ଘଟଣା ବଖାଣିଥିଲେ, ସେଥିରୁ ଗ୍ରାମବାସୀ ମଧ୍ୟ ଚମକି ଯାଇଥିଲେ। ତା' ପରେ ଗୁରୁବାର ରାତିରେ ପୀଡିତାଙ୍କ ପରିବାର ଓ ଗ୍ରାମବାସୀ ମିଶି ଗୋଳନ୍ଥରା ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ୍‌ ନଂ ୨୪୦/୨୫ ରେ ଗଣବଳାତ୍କାର ମାମଲା ରୁଜୁ କରିଛି।ଏହି ଘଟଣା ସମ୍ପର୍କରେ ଗିରଫ ଭୟରେ ଅଭିଯୁକ୍ତମାନେ ପଳାଇ ଥିବା ସୂଚନା ମିଳିଛି। ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ ନିର୍ଦ୍ଦେଶ ଅନୁଯାୟୀ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଦୁଇଟି ବିଶେଷ ଟିମ୍‌ ଗଠନ କରି ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଦୁର୍ଦାନ୍ତ ଅପରାଧ ଜିଲାରେ ଭାରି ଆଲୋଡ଼ନ ସୃଷ୍ଟି କରିଛି। ଏକ ପାଖାପାଖି ଘଟଣା ହେଲେ ଶୁକ୍ରବାର ଗ୍ରାମରେ ବୈଠକ କରି ଅଭିଯୁକ୍ତଙ୍କ ପରିବାର ଲୋକ ଘଟଣାକୁ ଚପାଇ ଦେବା ଚେଷ୍ଟା କରୁଥିବା ସୂଚନା ମିଳିଛି, ଯାହା ଗଣତନ୍ତ୍ରିକ ଓ ଆଇନସମ୍ମତ ବ୍ୟବସ୍ଥା ପାଇଁ ଅପମାନଜନକ।