ଗ୍ରୀଷ୍ମ ତାଣ୍ଡବର ଆଶଙ୍କା — ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରୀ ଟପିବା ପୂର୍ବାନୁମାନ
ଭୁବନେଶ୍ୱର, ୦୫ / ୬ : ଦକ୍ଷିଣ ପଶ୍ଚିମ ମଉସୁମୀ ବାୟୁ ଏବେଯାଏ ନିଜ ଅଗ୍ରଗତି ଅବରୁଦ୍ଧ କରିଛି। ଓଡ଼ିଶାର ଦକ୍ଷିଣ ଅଞ୍ଚଳର କିଛି ଭାଗକୁ ଛୁଇଁଥିବା ଏହି ବାୟୁ ଆସନ୍ତା ୫ ଦିନ ଯାଏ ବିଶେଷ ଆଗକୁ ବଢ଼ିପାରିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ରାଜ୍ୟ ଏବଂ ଦେଶର ବ୍ୟାପକ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମପ୍ରବାହ ତିବ୍ର ରୂପ ଧାରଣ କରିପାରେ ବୋଲି ଜଣାପଡ଼ିଛି।
ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ୭ ତାରିଖରେ ଓଡ଼ିଶାର କିଛି ସ୍ଥାନର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ପାର୍ କରିପାରେ। ତାଙ୍କ ଅନୁମାନ ଅନୁଯାୟୀ, ୭ ରୁ ୧୦ ତାରିଖ ମଧ୍ୟରେ ତାପମାତ୍ରାରେ ୪ ଡିଗ୍ରୀ ରୂପେ ବୃଦ୍ଧି ହେବାର ସମ୍ଭାବନା ରହିଛି, ଏବଂ ୧୦ ରୁ ୧୨ ତାରିଖ ଭିତରେ ପଶ୍ଚିମ ଓ କେନ୍ଦ୍ର ଓଡ଼ିଶାର ତାପମାତ୍ରା ସ୍ୱାଭାବିକ ତୁଳନାରେ ୮ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ହୋଇପାରେ।
ସୁନ୍ଦରଗଡ, ବଲାଙ୍ଗୀର, ଝାରସୁଗୁଡା, ବୌଦ୍ଧ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ବରଗଡ, ସୋନପୁର ଆଦି ଜିଲ୍ଲା ଗୁଡ଼ିକ ଉତ୍ତପ୍ତ ଅଞ୍ଚଳ ରୂପେ ପରିଣତ ହେବାର ସମ୍ଭାବନା ରହିଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିବାକୁ ଆବଶ୍ୟକ। ଏହି ଅଞ୍ଚଳରେ ତତଲା ପବନ ଓ ପଶ୍ଚିମା ପ୍ରବାହ ବହିପାରେ ବୋଲି ଡ. ପଶୁପାଳକ ଚେତାବନୀ ଦେଇଛନ୍ତି।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରରେ ବଙ୍ଗୋପସାଗରୀୟ ପବନ ବହିଥିବାରୁ ତାପମାତ୍ରା ଆଶାଂକା ଅନୁଯାୟୀ ବଢ଼ିବା ନାହିଁ। ତେବେ ଅନ୍ୟାନ୍ୟ ଉପକୂଳ ଅଞ୍ଚଳ, ଯଥା କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମରେ ଅସମ୍ଭାଳ ଗରମ ଓ ଗୁଳୁଗୁଳି ପରିସ୍ଥିତି ଲକ୍ଷ୍ୟ କରାଯିବା ନିଶ୍ଚିତ ବୋଲି ତାଙ୍କର ମତ।
କିଛି ମଉସୁମୀ ମଡେଲ ଅନୁସାରେ, ଜୁନ୍ ୧୧ ରେ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହା ଫଳରେ ପୂର୍ବା ପବନ ବହିପାରେ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା କମିପାରେ। ଅନ୍ତଃପ୍ରଦେଶ ଅଞ୍ଚଳରେ ୧୩ ତାରିଖ ପରେ ତାପମାତ୍ରା କମିବ ଏବଂ ବର୍ଷା ହେବା ଆଶା ରହିଛି। ୧୭ ତାରିଖ ଅଭ୍ୟନ୍ତରେ ଲଘୁଚାପ ଗଠନ ହେବାର ସମ୍ଭାବନା ମଧ୍ୟ ଜଣାପଡ଼ିଛି। ଡ. ପଶୁପାଳକ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଜୁନ୍ ୧୫ ପରେ ବର୍ଷା ହେବା ଦୃଷ୍ଟିରେ ଖରିଫ ଚାଷ ଆରମ୍ଭ କରିବା ଉଚିତ।