ଉମରକୋଟ ର ରାଜପୁର ରେ ଥରକେ ୬ ଦୋକାନ କୁ ଟାର୍ଗେଟ କରି ଚୋରି
ଉମରକୋଟ, ୨୪ / ୬ ( ନକୁଳ ଭତ୍ରା ) : — ଉମରକୋଟ ବ୍ଲକ ଅନ୍ତର୍ଗତ ରାଜପୁର ପଞ୍ଚାୟତର ସଦର ମହକୁମା ଗ୍ରାମରେ ଗତ ବିଳମ୍ବିତ ରାତିରେ ଅଜଣା ଚୋର ଏକ ଶ୍ରୃଙ୍ଖଳାବଦ୍ଧ ଭାବେ ୬ଟି ଦୋକାନର ତାଲା ଭାଙ୍ଗି ମୁଲ୍ୟବାନ ସାମଗ୍ରୀ ଓ ପଇସା ଚୋରି କରି ନେଇଛନ୍ତି। ଏହି ଘଟଣା ଗ୍ରାମରେ ଭୟଙ୍କର ମାହୋଲ ସୃଷ୍ଟି କରିଛି। ଚୋରି ହୋଇଥିବା ଦୋକାନଗୁଡିକ ମଧ୍ୟରେ ବୋରଦା ବ୍ୟାଙ୍କ ସଂଯୁକ୍ତ CSC କେନ୍ଦ୍ର, କିଛି କିରାନା ଦୋକାନ, ସାଇକେଲ ମରାମତି ଦୋକାନ ଓ ପଞ୍ଚାୟତ ଅଫିସ୍ ଭିତରେ ଥିବା ଜନସେବା କେନ୍ଦ୍ର ସମେତ ମୋଟ ୬ଟି ଦୋକାନ ଅନ୍ତର୍ଭୁକ୍ତ। ଚୋରମାନେ ଦୋକାନର ତାଲା ଭାଙ୍ଗି ଭିତରକୁ ପସି ବ୍ୟବସାୟୀଙ୍କ ବ୍ୟବହୃତ ଟଙ୍କା, ଦାମି ସାମଗ୍ରୀ ଓ କାଗଜପତ୍ର ଚୋରି କରି ନେଇଛନ୍ତି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଘଟଣାସ୍ଥଳ ନିକଟରେ ଥିବା CCTV କ୍ୟାମେରାରେ ଅନ୍ୟାନ୍ୟ ସନ୍ଦେହଜନକ ବ୍ୟକ୍ତିଙ୍କ ଚଳାଚଳ ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ଏହି ଭିଡିଓକୁ ଜନସାଧାରଣ ଙ୍କ ସହଯୋଗରେ ପ୍ରଚାର କରାଯାଉଛି ଯେପରି ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରାଯାଇପାରିବ। ଏହି ଅସାଧାରଣ ଘଟଣା ପରେ ଗ୍ରାମବାସୀ ମଧ୍ୟରେ ଭୟ ଓ ଅସ୍ଥିରତା ବ୍ୟାପିଯାଇଛି। ବ୍ୟବସାୟୀମାନେ ନିଜ ଦୋକାନ ସୁରକ୍ଷା ପାଇଁ ଅତିରିକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି।ପୋଲିସ ପ୍ରଶାସନ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରମାନେ ଶୀଘ୍ର ଧରାପଡିବେ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନ ଦିଆଯାଇଛି, ତେବେ ଏହା କେତେ ଶୀଘ୍ର ସଫଳ ହୁଏ ତାହା ଆଗାମୀ ଦିନ ଜଣାପଡିବ।