*ବିରଳ ଅକ୍ଷୟ ତୃତୀୟା*
*ବିରଳ ଅକ୍ଷୟ ତୃତୀୟା*
-----------------------------
ରବି ମେଷ ରାଶି ବୃଷ ମଧ୍ଯେ ଶଶି
ହେବେ ଯେବେ ଅବସ୍ଥାନ
ଜ୍ଯୋତିଷ ଶାସ୍ତ୍ରର ନିୟମାନୁସାରେ
ସେହି ଦିନଟି ମହାନ।
ଅକସ୍ମାତେ ଯେବେ ପଡ଼ିଥାଏ କେବେ
ରୋହିଣୀ ନକ୍ଷତ୍ର ପୁଣି
ଦିନ ସୋମବାର ଅବା ବୁଧବାର
ସର୍ବ ଶୁଭ ଦିଏ ଆଣି ।
ଏପରି ବିରଳ ଅକ୍ଷୟ ତୃତୀୟା
ଆସିଅଛି ଏହି ବର୍ଷ
ଶହ ଶହ ବର୍ଷ ଲାଗେ ଆସିବାକୁ
ମନେ ଆଣିଥାଏ ହର୍ଷ।
ସମସ୍ତ କାର୍ଯ୍ଯର ହୁଏ ଶୁଭାରମ୍ଭ
ଅକ୍ଷୟ ସୁଫଳ ଦିଏ
ଏ ଦେଶ ସଂସ୍କୃତି ଏ ଦେଶ ପୁରାଣ
ତା'ର ଜୟଗୀତି ଗାଏ।
ବୈଶାଖର ଶୁକ୍ଳ ତୃତୀୟା ତିଥିଟି
ଆମ ପାଇଁ ସ୍ମରଣୀୟ
ଧନ ବସ୍ତ୍ର ଜ୍ଞାନ ଅନ୍ନ ଜଳ ଦାନ
ଏ ଦିବସେ କରଣୀୟ।
ତ୍ରେତୟା ଯୁଗର ପ୍ରାରମ୍ଭ ଏ ଦିନ
ଗଙ୍ଗା ଧରାବତରଣ
ପ୍ରଭୁ ପର୍ଶୁରାମ ଶ୍ରୀଜୟଦେବଙ୍କ
ଏ ଦିନେ ଶୁଭାଗମନ ।
ମହାକବି ବେଦବ୍ଯାସଙ୍କ ଲେଖନୀ
ଆରମ୍ଭି ଥିଲା ଏ ଦିନ
ପୃଥିବୀର ବୃହତ୍ତମ ମହାକାବ୍ଯ
ମହାଭାରତ ପୁରାଣ।
ସୁଦାମା ଦାରିଦ୍ର୍ଯ ଭଞ୍ଜନ ଏ ବାରେ
କରିଥିଲେ ବେଣୁପାଣି
କୁବେରଙ୍କୁ କୋଷାଧ୍ୟକ୍ଷ ପଦ ଦେଲେ
ମାତା ସାଗର ଦୁଲଣୀ।
ଅଯୋନୀ ସମ୍ଭୂତା ଦେବୀ ମାତା ସୀତା
ଆବିର୍ଭୂତା ତିଥି ଏହା
ଘୋଷଯାତ୍ରା ପାଇଁ ଶ୍ରୀଜଗନ୍ନାଥଙ୍କ
ରଥ ଅନୁକୂଳ ତାହା।
ବନବାସ କାଳେ ଯାଜ୍ଞସେନୀ କରେ
ଦେଇଥିଲେ ଦିବାକର
ଅକ୍ଷୟ ଅନ୍ନର ଅନ୍ନଭାଣ୍ଡ ଏକ
ଥିଲା ପରା ଏହି ବାର।
ବଦ୍ରୀନାଥ ଧାମ ଏହି ଶୁଭ ଦିନେ
ପ୍ରତିବର୍ଷ ଖୋଲିଥାଏ
ସତ୍ଯଯୁଗଠାରୁ ଅଦ୍ଯାବଧି ଯାଏ
ଶାସ୍ତ୍ର ପୁରାଣ ଯା' କହେ।
ହଳାୟୁଧଙ୍କର ଶୁଭ ପରିଣୟ
ରେବତୀଙ୍କ ସହିତରେ
ଆନନ୍ଦ ଉଲ୍ଲାସେ ହୋଇଥିଲା ପରା
ଏହିପରି ଶୁଭ ବାରେ।
କୃଷକ ବଣିକ ଖାଉଟି ଗ୍ରାହକ
ସମସ୍ତଙ୍କ ପାଇଁ ଶୁଭ
ସାସ୍କୃତିକ ଭାବ ଭାବନା ସହିତ
ଦେଇଥାଏ ସଦା ଲାଭ।
ଜୈନ ଧର୍ମେ ଥିବା ଆଦ୍ଯ ତୀର୍ଥଙ୍କର
ଋଷଭ ଦେବ ଏ ଦିନ
ଏକ ବର୍ଷ ପାଇଁ ତପ ଆରମ୍ଭିଣ
ରହିଥିଲେ ସେ ମଉନ।
ଅନ୍ନଦାତା ଆମ କୃଷକ ଭାଇର
ଚାଷ ଅନୁକୂଳ ବାର
ମାଟି ମାତା ପାଦେ ରଖି ଭକ୍ତିଭାବ
କହେ ମନୋଭାବ ତା'ର।
ଏପରି ଫସଲ ଦିଅ ଗୋ ଜନନୀ
ପୂରୁ ସବୁ ଜୀବ ପେଟ
ସଫଳ ଅମଲ ହେବା ପରିଯନ୍ତେ
ଦେଖାଉଥିବୁ ମାଁ ବାଟ।
ଅକ୍ଷୟ ତୃତୀୟା ଅକ୍ଷୟ କୀରତି
ଜାଗୁ ମାନବ ହୃଦୟେ
ଅକ୍ଷୟ ସୁକର୍ମ ପାଳି ନିଜ ଧର୍ମ
ସର୍ବଦା ରହୁ ବିଜୟେ।
ଧର୍ମରାଜ ପ୍ରଧାନ
ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ