Hot Posts

6/recent/ticker-posts

ଗଣହତ୍ୟା ଅଭିଯୋଗରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା: ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ଶାସ୍ତି ସମ୍ଭାବନା

ଢାକା, ୨ / ୬ : ବାଂଲାଦେଶର ରାଜନୈତିକ ପଟପୃଷ୍ଠ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ନାଟକୀୟ ଅନ୍ଧାର ପରିସ୍ଥିତି ଅବତୀର୍ଣ୍ଣ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବିକତା ବିରୋଧୀ ଅପରାଧ, ବିଶେଷକରି ଗଣହତ୍ୟା ଅଭିଯୋଗ ନେଇ ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICT) ରେ ଔପଚାରିକ ଅଭିଯୋଗ ଦାଖଲ କରାଯାଇଛି।
ଗତବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ସାରା ବାଂଲାଦେଶ ରେ ଘଟିଥିବା ବିଦ୍ରୋହ ଓ ଏଥିରେ ବିକ୍ଷୋଭକାରୀଙ୍କ ଉପରେ ବର୍ବର ଦମନ କାର୍ଯ୍ୟାନୁଷ୍ଠାନ ପାଇଁ ଶେଖ ହସିନା ସିଧାସଳଖ ଭାବେ ଦାୟୀ ବୋଲି ଆଇସିଟିର ମୁଖ୍ୟ ଓକିଲ ତାଜୁଲ ଇସଲାମ ଦାବି କରିଛନ୍ତି। ମେ ୧୨ ତାରିଖରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ ହସିନା ସମସ୍ତ ରାଜ୍ୟ ମେକାନିଜମ, ନିଜ ଦଳ ଆୱାମୀ ଲିଗ ଓ ଏହାର ସଂଘଟିତ ସଂସ୍ଥାମାନଙ୍କ ଦ୍ୱାରା ଗଣହତ୍ୟା ଓ ନିର୍ଯାତନା ରୂପୀ କାର୍ଯ୍ୟ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବିଦ୍ରୋହ ସମୟରେ ସୂଚନା ଅନୁଯାୟୀ, ଦେଶବ୍ୟାପୀ ଭାବେ ୧୫୦୦ ଠାରୁ ଅଧିକ ଲୋକ ଜୀବନ ହରାଇଥିଲେ, ଏବଂ ୨୫ ହଜାରରୁ ଅଧିକ ଆହତ ହୋଇଥିଲେ। ଅନେକ ଲୋକଙ୍କୁ ଅମାନବୀୟ ଭାବେ ନିର୍ଯାତନା ଦିଆଯାଇଥିବା ମଧ୍ୟ ଅଭିଯୋଗ ମଧ୍ୟ ଉଠିଛି।
ଏହି ମାମଲାରେ ହସିନାଙ୍କ ସହିତ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜମାନ ଖାନ୍ କମଲ ଏବଂ ପୂର୍ବତନ ଆଇଜି ଚୌଧୁରୀ ମାମୁନଙ୍କ ନାମ ମଧ୍ୟ ଅଭିଯୁକ୍ତ ଭାବରେ ଦର୍ଜ ହୋଇଛି। ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଏହି ମକଦ୍ଦମାର ଶୁଣାଣି ବାଂଲାଦେଶ ଟେଲିଭିଜନରେ ସିଧାପ୍ରସାରଣ କରାଯାଉଛି।
ଏହା ସହିତ, ଶେଖ ହସିନା ପୂର୍ବରୁ ଆଇସିଟିରେ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଅଭିଯୁକ୍ତ ଭାବେ ଉପସ୍ଥାପିତ ହୋଇଥିବା ଜଣାପଡ଼ିଛି। ଏଥିରେ ଗୋଟିଏ ହେଉଛି ଶାସନ କାଳରେ ନିଖୋଜ ଓ ବିଚାରବିହୀନ ହତ୍ୟା ଓ ଅନ୍ୟଟି ୨୦୧୩ ମୋତିଝିଲର ଶାପଲା ଛତରଠାରେ ହେଫାଜତ-ଏ-ଇସଲାମ ରାଲି ସମୟର ଗଣହତ୍ୟା ମାମଲା।
ଯଦି ଏହି ମାମଲାରେ ଶେଖ ହସିନା ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ଶାସ୍ତି ହେବାର ସମ୍ଭାବନା ରହିଛି। ଏହା ବାଂଲାଦେଶର ରାଜନୈତିକ ଓ ଆଇନ ବ୍ୟବସ୍ଥାରେ ଏକ ଦୃଷ୍ଟିପାତ ଯୋଗ୍ୟ ମୋଡ଼ ହୋଇପାରେ।