ନୂଆପଡ଼ାରେ ପୁଣି ବାଘ ଆତଙ୍କ — ଗାଈକୁ ମାରି ଖାଇଲା, ଅଞ୍ଚଳରେ ଭୟର ବାତାବରଣ
ନୂଆପଡ଼ା, ୧୩ / ୫ : ନୂଆପଡ଼ା ଜିଲ୍ଲାର ଧରମବନ୍ଧା ବିଟ୍ ଅଧୀନରେ ଥିବା ଚୁଲାଭାଟ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପାଣି ଗ୍ରାମରେ ପୁଣିଥରେ ବାଘ ଆତଙ୍କ ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗ୍ରାମବାସୀ ମୁଞ୍ଚୁ ରାଉତଙ୍କ ଗୁହାଳରେ ପଶି ଗାଈକୁ ହତ୍ୟା କରି ଖାଇଥିବା ଘଟଣା ଆଞ୍ଚଳିକ ଭୟକୁ ଅଧିକ ଗଭୀର କରିଛି।
ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେ ରାତିରେ ନିଜ ଗାଈ ଓ ବାଛୁରୀକୁ ବାନ୍ଧି ଶୋଇଥିଲେ। ରାତିରେ ଅଚାନକ ଗାଈମାନେ ଭୟରେ ରଡିବାରେ ଜଣାପଡ଼ିଲା ଯେ କିଛି ଅସାଧାରଣ ଘଟିଛି। ଟର୍ଚ୍ଚ ଲାଇଟ୍ ନେଇ ଗୁହାଳକୁ ଚାଲିଗଲେ ବାଘ ଏତେବେଳେ ପଳାଇଯାଇଥିଲା, ହେଲେ ଗାଈଟି ମୃତ ଅବସ୍ଥାରେ ମିଳିଥିଲା।
ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ଜଣାଇବା ସତ୍ତ୍ୱେ ଘଟଣାସ୍ଥଳକୁ ସମୟରେ ନ ପହଞ୍ଚିବା ପାଇଁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଗତ ଦୁଇ ମାସ ଧରି ଏହି ଅଞ୍ଚଳରେ ବାଘ ଦ୍ୱାରା ଗୃହପାଳିତ ପଶୁ ହତ୍ୟାର ଘଟଣା ପୁନରାବୃତ୍ତି ହେଉଛି। ଏହାରେ ଗ୍ରାମବାସୀ ମଧ୍ୟରେ ଭୟ ଓ ଅସୁରକ୍ଷିତତା ବାହାରିଆସିଛି।
ସନ୍ଧ୍ୟା ପରେ ଲୋକେ ଘରୁ ବାହାରୁ ହେବାକୁ ବି ଭୟ କରୁଛନ୍ତି। ଜନସାଧାରଣ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗରୁ ତ୍ୱରିତ ଓ ଫଳପ୍ରଦ ପଦକ୍ଷେପ ଦାବି କରିଛନ୍ତି।