ଓଡ଼ିଶାରେ ଶୀଘ୍ର ମୌସୁମୀ ପ୍ରବେଶ ସମ୍ଭାବନା: ପାଗ ଅନୁକୂଳ, ପ୍ରାକ୍ ମୌସୁମୀ ବର୍ଷା ଓ ୟେଲୋ ୱାର୍ଣିଂ ଜାରି
ନୂଆଦିଲ୍ଲୀ/ଭୁବନେଶ୍ବର, ୨୬ / ୫ : ମୌସୁମୀ ବର୍ଷା ନେଇ ଓଡ଼ିଶା ପାଇଁ ଏବେ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ସାଧାରଣତଃ ଜୁନ ୧୨ରୁ ୧୪ ମଧ୍ୟରେ ଓଡ଼ିଶାରେ ମୌସୁମୀ ପ୍ରବେଶ ଘଟୁଥିବା ବେଳେ, ଚଳିତ ବର୍ଷ ଏହି ପ୍ରବେଶ ସମୟ ଶୀଘ୍ର ହେବାର ସଂକେତ ମିଳୁଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (IMD) ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର ଏକ ଟିଭି ଚ୍ୟାନେଲ୍କୁ ଦିଆଯାଇଥିବା ସାକ୍ଷାତ୍କାରରେ ଏହି ସୂଚନା ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ଓଡ଼ିଶା ଉପରେ ବର୍ତ୍ତମାନ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ଏହା ସହିତ ଲୋକପ୍ରେସର ଆଗମନ ଓ ଦକ୍ଷିଣ ପଶ୍ଚିମ ବାୟୁ ପ୍ରବଳ ହେବାରୁ, ମୌସୁମୀ ପ୍ରବେଶ ପାଇଁ ପାଗ ବେଶି ଅନୁକୂଳ ହୋଇଯାଇଛି। "ଆଗାମୀ ୨ ଦିନ ଭିତରେ ମୌସୁମୀ ପ୍ରବେଶ ନେଇ ସ୍ପଷ୍ଟ ଚିତ୍ର ମିଳିବ," ବୋଲି ସେ କହିଛନ୍ତି।ଏହି ପରିପ୍ରେକ୍ଷିରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ମଧ୍ୟ ଏକ ସଚେତନତା ସନ୍ଦେଶ ଜାରି କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶା ବର୍ଷା ସମ୍ଭାବନା ରହିଥିବାରୁ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣିଂ ଦିଆଯାଇଛି। ବିଶେଷକରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ପାତ ନେଇ ଚେତାବନୀ ଜାରି ହୋଇଛି। ଏହା ସହିତ, ଆଗାମୀ ୪ ଦିନ ଧରି ସମୁଦ୍ର ଅଶାନ୍ତ ରହିବାର ପୂର୍ବାନୁମାନ ଦିଆଯାଇଥିବାରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରରେ ପ୍ରବେଶ କରିବା ପ୍ରତି ବାରଣ କରାଯାଇଛି।