ଘୋଷଣା ଅଛି, କାର୍ଯ୍ୟାନୁଷ୍ଠାନ ନାହିଁ: ବରଗଡ଼ରେ ବେଆଇନ ପାର୍କିଂ ଅବାଧରେ ଜାରି
ବରଗଡ଼, ୮/୫ : – ସହର ବାସୀ ଟ୍ରାଫିକ ଯନ୍ତ୍ରଣାରେ ଆକୁଳ, ତଥାପି ପୌରପାଳିକା ପକ୍ଷରୁ ଘୋଷିତ ବେଆଇନ ପାର୍କିଂ ବିରୋଧି କାର୍ଯ୍ୟାନୁଷ୍ଠାନ କାଗଜରେ ଅଟକି ରହିଛି। ମାଇକ ଦ୍ୱାରା ଘୋଷଣା କରାଯାଇଛି ଯେ ଡାକ୍ତରଖାନା, ମଲ୍, ବଜାର ଆଗରେ ବେଆଇନ ପାର୍କିଂ ଉପରେ କଠୋର ଦୃଷ୍ଟି ଦିଆଯିବ, କିନ୍ତୁ ବ୍ୟବହାରିକ କ୍ଷେତ୍ରରେ ତାହାର କୌଣସି ପ୍ରଭାବ ଦେଖାଯାଉନାହିଁ। ସହରର ଭିତରେ ଅନିୟମିତ ଭାବେ ରହୁଥିବା ଟ୍ରାକ୍ ଅନ୍ଲୋଡିଂ, ଆଡ଼କଥାରେ ପାର୍କିଂ, ଓ ନୋ ପାର୍କିଂ ଚିହ୍ନ ମାନିନଥିବା ଅନୁଶାସନହୀନତା ବରଗଡ଼ର ଭଟଲି ଛକ, ଲେଙ୍ଗୁ ଛକ, ଓ ଜୀରା ବ୍ରିଜ ଅଞ୍ଚଳକୁ ନିୟମିତ ଟ୍ରାଫିକ ଜାମ୍ ଦେଖାଦେଉଛି। ଟ୍ରାଫିକ ପୁଲିସ ଦ୍ୱାରା ଦେଖାଶୁଣା ଅଛି ବୋଲି ଥିଲେ ମଧ୍ୟ, ଏହି ଅବ୍ୟବସ୍ଥାରେ କେହି ନିୟନ୍ତ୍ରଣ ଆଣିପାରୁନାହାନ୍ତି। ଏହାପୂର୍ବେ ପୌରପାଳିକା ଦ୍ୱାରା ଭଟଲି ଛକର ମେଗାମାର୍ଟ, ହୋଟେଲ ଓ ଡାକ୍ତରଖାନା ଉପରେ ଜରିମାନା ଓ ସିଲ୍ ଲଗାଯାଇଥିଲେ ମଧ୍ୟ, ଏହା କିଛି ଦିନ ମଧ୍ୟରେ ଖୋଲି ଯାଇଥିଲା। ସୂଚନା ଅନୁଯାୟୀ, ସେମାନେ ଜରିମାନା ମଧ୍ୟ ଦେଇନଥିଲେ, ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସମସ୍ତ କାର୍ଯ୍ୟାନୁଷ୍ଠାନ ବାତିଲ୍ ହୋଇଥିଲା। ଏବେ ପୁଣି ଘୋଷଣା ହୋଇଛି, ବେଆଇନ ପାର୍କିଂ ବିରୋଧରେ ପଦକ୍ଷେପ ନିଆଯିବ। କିନ୍ତୁ ଗତ ଅନୁଭବ ଦେଖି ସାଧାରଣ ଲୋକ ମଧ୍ୟ ପ୍ରଶ୍ନ କରୁଛନ୍ତି – କେବେ ଏହି ଘୋଷଣା କାର୍ଯ୍ୟାନୁଷ୍ଠାନରେ ପରିଣତି ହେବ? ପୌରନିର୍ବାହୀ ଅଧିକାରୀଙ୍କ କହିବା ଅନୁଯାୟୀ, ଖୁବ ଶୀଘ୍ର ପ୍ରଭାବଶାଳୀ ପଦକ୍ଷେପ ନିଆଯିବ। ତେବେ ସହରବାସୀ ଅପେକ୍ଷା କରୁଛନ୍ତି ଘୋଷଣାର ଭିତରୁ ବାହାରି ଏବେ ପ୍ରକୃତ ଅଭିଯାନ ଆରମ୍ଭ ହେବ।