ଓଜେଏସ୍ ପରୀକ୍ଷାରେ ମୂଲ୍ୟାୟନ ତ୍ରୁଟି: ପ୍ରାର୍ଥୀଙ୍କୁ ଦିଆଯିବ ଏକ ଲକ୍ଷ ଟଙ୍କା କ୍ଷତିପୂରଣ, ସୁପ୍ରିମକୋର୍ଟରେ ହାଇକୋର୍ଟ ରାୟ ଅଟୁଟ
କଟକ, ୩୧ / ୫ : ଓଡ଼ିଶା ବିଚାର ବିଭାଗୀୟ ସେବା (OJS) ପରୀକ୍ଷାରେ ଜଣେ ପ୍ରାର୍ଥୀ ଦ୍ୱାରା ଲିଖାଯାଇଥିବା ଉତ୍ତରର ମୂଲ୍ୟାୟନ ହେବାରେ ଗଭୀର ତ୍ରୁଟି ଘଟିଥିବା ଘଟଣାକୁ ନେଇ ଓଡ଼ିଶା ଉଚ୍ଚନ୍ୟାୟାଳୟ ଯେଉଁ ମାମଲାରେ ପ୍ରାର୍ଥୀଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲା, ତାହାକୁ ସୁପ୍ରିମକୋର୍ଟ ଅଟୁଟ ରଖିଛି।ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (OPSC) ଏହି ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଏସ୍ଏଲ୍ପି (SLP) ଦାୟର କରିଥିଲେ, କିନ୍ତୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତା ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଏହି ଅନୁରୋଧକୁ ଖାରଜ କରି ଓଡ଼ିଶା ହାଇକୋର୍ଟର ରାୟକୁ ବର୍କରାର ରଖିଛନ୍ତି। ଘଟଣା ସନ୍ଦର୍ଭରେ, ୨୦୨୪ରେ ଜେ. ଦତ୍ତ ନାମକ ଏକ ଆଇନ ସ୍ନାତକ ପ୍ରାର୍ଥୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ, ଯେଉଁଠି ସେ ଦାବି କରିଥିଲେ ଯେ ତାଙ୍କ ଦ୍ୱାରା ଲିଖାଯାଇଥିବା OJS ପରୀକ୍ଷାର ‘ଲ’ ଅଫ୍ ପ୍ରପର୍ଟି ବିଷୟର ପ୍ରଶ୍ନ ୫(କ) ଉତ୍ତରକୁ ମୂଲ୍ୟାୟନ କରାଯାଇନଥିଲା। ମାତ୍ର ୫(ଖ) ଉପରେ ମାର୍କ ଦିଆଯାଇଥିଲା। ଏହି ଅଭିଯୋଗ ସତ୍ୟ ଥିବା ବୁଝି ପରେ, ହାଇକୋର୍ଟ ଏହି ଉତ୍ତରର ପୁନଃମୂଲ୍ୟାୟନ ପାଇଁ ରାଜ୍ୟର ତିନିଟି ଆଇନ ବିଶ୍ବବିଦ୍ୟାଳୟର କୁଳପତି ଓ ବିଶେଷଜ୍ଞ ପ୍ରଫେସରମାନଙ୍କ ଏକ ବୋର୍ଡ ଗଠନ କରିଥିଲେ। ତାଙ୍କ ମୂଲ୍ୟାୟନ ଅନୁଯାୟୀ, ପ୍ରାର୍ଥୀଙ୍କ ୫(କ) ଓ ୫(ଖ) ଉତ୍ତର ଦୁହିଁଟି ସଠିକ୍ ଓ ମାର୍କ ଯୋଗ୍ୟ ଥିଲା ବୋଲି ସ୍ପଷ୍ଟ ହୋଇଥିଲା।ଏହି ପ୍ରମାଣ ଆଧାରରେ, ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ସଙ୍ଗମ୍ କୁମାର ସାହୁ ଓ ଜଷ୍ଟିସ୍ ଚିତ୍ତରଂଜନ ଦାଶଙ୍କ ଖଣ୍ଡପୀଠ ମନେ କରିଥିଲେ ଯେ, ଏଭଳି ଗମ୍ଭୀର ତ୍ରୁଟି ଏକ ଆଶାୟୀ ପ୍ରାର୍ଥୀଙ୍କ କ୍ୟାରିଅର ଓ ନ୍ୟାୟପ୍ରତି ଆଶାକୁ ଦୁର୍ବଳ କରେ। ଏହି ପରିପ୍ରେକ୍ଷିତରେ ଓପିଏସ୍ସିକୁ ୬୦ ଦିନ ମଧ୍ୟରେ ଜେ. ଦତ୍ତଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ସୁପ୍ରିମକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ ଅଟୁଟ ରଖି, ଏସଏଲ୍ପିକୁ ଖାରଜ କରିଛି। ଏହାସହିତ ଏହି ମାମଲାକୁ ଆଗାମୀ ମାମଲା ପାଇଁ "precedent" ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏହି ଘଟଣା ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ଦେଉଛି — ଯେଉଁଠି ଦାୟିତ୍ୱହୀନ ମୂଲ୍ୟାୟନ ଆଶାୟୀ ଯୁବ ମନ୍ମଧ୍ୟରେ ଅନ୍ୟାୟ ଅନୁଭବ ଉତ୍ପନ୍ନ କରିପାରେ, ସେଉଁଠି ନ୍ୟାୟ ଏବେ ଗ୍ରାହ୍ୟ ଓ ସଜାଗ।