ନିଶା ବିରୁଦ୍ଧରେ 'ଅପରେଶନ ଶୁଦ୍ଧି': ନୂଆପଡ଼ାରେ ପୋଲିସ ର ବଡ଼ ଚଢ଼ାଉ, ୬ ଜଣ ଗିରଫ, ଗଞ୍ଜେଇ-କଫ ସିରପ ଜବତ
ନୂଆପଡ଼ା, ୧୫ / ୫ : – ଜିଲ୍ଲାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା 'ଅପରେଶନ ଶୁଦ୍ଧି' ଅଭିଯାନ ବୁଧବାର ଦିନ ବଡ଼ ସଫଳତା ଅର୍ଜନ କରିଛି। ଏହି ଅଭିଯାନ ବେଳେ ପୋଲିସ ଗଞ୍ଜେଇ, କଫ ସିରପ, ମୋବାଇଲ ଓ ବାଇକ ସହ ବେଆଇନ ନିଶା ବ୍ୟବସାୟ ସହ ଜଡିତ ୬ ଜଣଙ୍କୁ ଗିରଫ କରିଛି, ଯାହାମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳକ ମଧ୍ୟ ଅଛନ୍ତି।
ଜିଲ୍ଲା ପୋଲିସ ସ୍ପଷ୍ଟ କରିଛି ଯେ, ତେଳିପଡା ପୋଖରୀ ନିକଟରେ ଗଞ୍ଜେଇ ଓ କଫ ସିରପ ବେପାର ଚାଲିଥିବା ସୂଚନା ମିଳିବା ପରେ, ସଦର ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ନିର୍ଦ୍ଦେଶନାରେ ଏସ୍ଆଇ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଗଠିତ ଏକ ବିଶେଷ ଟିମ ଚଢ଼ାଉ କରିଥିଲା।
ଅଭିଯାନ ସମୟରେ ମୋଟ ୬ କିଲୋଗ୍ରାମ ଗଞ୍ଜେଇ, ୨୫ ବୋତଲ କଫ ସିରପ, ୩ଟି ମୋଟରସାଇକେଲ, ଓ ୫ଟି ମୋବାଇଲ ଫୋନ୍ ଜବତ ହୋଇଛି। ଗିରଫ ହେବା ଲୋକମାନଙ୍କ ମଧ୍ୟରେ ଅଛନ୍ତି – ସୁକାନ୍ତି ପଟେଲ (୪୫), ସତ୍ୟଜିତ ହରପାଲ (୩୪), ଓମ୍ ପ୍ରକାଶ ସାହୁ (୨୮), ଅଭିଷେକ ଜଗତ (୨୩), ବୈଷ୍ଣବ ତାଣ୍ଡି (୩୮) ଓ ନବୀନ କେତକୀ (୩୮) – ଯିଏ ବରଗଡ ଜିଲ୍ଲାର ମାଣ୍ଡୋସିଲ ଗାଁର ବାସିନ୍ଦା।
ଏହି ଗୋଷ୍ଠୀ ବାହାରୁ ନିଶାଦ୍ରବ୍ୟ ଆଣି ତାହାକୁ ନୂଆପଡ଼ା ସହ ବରଗଡ, ପଦ୍ମପୁର, ପାଇକମାଲ ଓ କୋମନା ଅଞ୍ଚଳକୁ ସପ୍ଲାଇ କରୁଥିଲେ ବୋଲି ପୋଲିସ ଜଣାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବେଆଇନ ନିଶା ବ୍ୟବସାୟ ଓ ନାବାଳକଙ୍କ ନିଯୁକ୍ତି ସହିତ ସଂପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।
ଜିଲ୍ଲାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା ଅଭିଯାନ ଆଗାମୀ ଦିନରେ ଆହୁରି କଠିନ ଓ ବ୍ୟାପକ ହେବ ବୋଲି ଏସ୍ପି ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।