ଆନଲାଇନ୍ ବେଟିଂ ଆପ୍ ଜରିଆରେ ୧ କୋଟି ୮ ଲକ୍ଷ ଠକାମି — ଓଡ଼ିଆ ଯୁବ ଇଞ୍ଜିନିୟର ମୁଖ୍ୟ ଅଭିଯୁକ୍ତ

କଟକ, ୨୯ / ୫ : ବୃହତ ଠକାମି ର ଗାଥା ଉଜାଗର କରିଛି ରାଜ୍ୟ କ୍ରାଇମ୍ ବ୍ରାଞ୍ଚ। ଜାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳର ଜଣେ ଉଦ୍ୟୋଗୀ ବ୍ୟବସାୟୀ ୨ ବର୍ଷରେ ଧିରେ ଧିରେ ୧ କୋଟି ୮ ଲକ୍ଷ ୭୯ ହଜାର ଟଙ୍କା ଜାଲ ବେଟିଂ ଆପ୍ରେ ନିବେଶ କରି ଠକାମିର ଶିକାର ହୋଇଛନ୍ତି। ଅନଲାଇନ୍ କ୍ରିକେଟ୍ ବେଟିଂରେ ଦୁଇଗୁଣା ଲାଭ ପାଇବାର ଲୋଭ ଦେଖାଇ ଏହି ଅର୍ଥ ଠକି ନେଇଥିଲେ ଜଣେ ଓଡ଼ିଆ ଯୁବ ଡିପ୍ଲୋମା ଇଞ୍ଜିନିୟର ଓ ପଶ୍ଚିମବଙ୍ଗର ତାଙ୍କ ସହଚର।
ଠକାମି ପଛରେ ଥିବା ଦୁଇ ଅଭିଯୁକ୍ତ — ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ରାୟପୁର ଅଞ୍ଚଳର ରୋହନ୍ ଅଲିଆସ୍ ସେକ୍ ୱାସ୍ୟୁଲ ଇସଲାମ (୨୯) ଓ ଭୁବନେଶ୍ୱର ଖାରବେଳନଗର ପ୍ରେସ୍ କଲୋନିର ଜ୍ୟୋତିପ୍ରକାଶ ପଲାଇ (୩୬) କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ଜ୍ୟୋତିପ୍ରକାଶ ଏକ ଡିପ୍ଲୋମା ଇଞ୍ଜିନିୟର ଓ ବର୍ତ୍ତମାନ ଏକ କନସ୍ଟ୍ରକସନ୍ କମ୍ପାନୀରେ ନିଯୁକ୍ତ। ସେ ମଧ୍ୟ ଏହି ଠକ ଗୋଷ୍ଠୀର ମୁଖ୍ୟ ଆସାମୀ ବୋଲି ତଦନ୍ତରେ ପ୍ରମାଣ ମିଳିଛି।
ଅଭିଯୋଗ ଅନୁଯାୟୀ, ୨୦୨୨ ଅଗଷ୍ଟରେ ଜାଜପୁର ବ୍ୟବସାୟୀଙ୍କ ମୋବାଇଲକୁ ଏକ ଅଜଣା ଲିଙ୍କ୍ ଆସିଥିଲା, ଯାହା ଖୋଲିଲେ ଏକ କ୍ରିକେଟ ବେଟିଂ ଆପ୍ ଇନଷ୍ଟଲ୍ ହେଉଥିଲା। ୧ ହଜାର ଟଙ୍କା ନିବେଶ ପରେ ଦୁଇଗୁଣା ମିଳିଗଲା , ଯାହା ଦେଖି ସେ ବିଶ୍ୱାସ କରି ଆଉ ଅଧିକ ଅର୍ଥ ନିବେଶ କରିଥିଲେ। ପରେ ତାଙ୍କ ପତ୍ନୀ, ବନ୍ଧୁ ଓ ସହକର୍ମୀଙ୍କ ମାଧ୍ୟମରେ ମଧ୍ୟ ଅର୍ଥ ନିବେଶ କରିଛନ୍ତି। ବ୍ୟବସାୟୀଙ୍କ ବ୍ୟାଙ୍କ ଖାତା ମାଧ୍ୟମରେ କ୍ରମାଗତ ଭାବେ ଅନେକ ଟ୍ରାଞ୍ଜାକ୍ସନ୍ ହେଉଥିଲା, ଯାହା ଉପରେ ଆଧାର କରି ଅଭିଯୁକ୍ତମାନେ ଚିହ୍ନଟ ହୋଇଥିଲେ।
ତଦନ୍ତରେ ଖୋଜାଯାଇଛି ଯେ, ଏହି ଗୋଷ୍ଠୀ ନିଜେ ଜାଲ ଆପ୍ ବିକାଶ କରି ଟେଲିଗ୍ରାମ୍, ଫେସ୍ବୁକ୍ ଆଦି ସାମାଜିକ ମାଧ୍ୟମରେ ଲିଙ୍କ୍ ବାଣ୍ଟି ଲୋକଙ୍କୁ ନିବେଶ କରିବାକୁ ପ୍ରେରିତ କରୁଥିଲେ। ବିଶ୍ୱାସ ଜମିଲାପରେ ଯେପରି ଠକାମି ଆରମ୍ଭ, ତାହିଁଁ ସେଠାରୁ ଅନେକ ଲୋକ ଶିକାର ହୋଇଥିବା ସନ୍ଦେହ ଓ ଶଙ୍କା ରହିଛି।
ଅଭିଯୁକ୍ତଙ୍କ ନିକଟରୁ ବ୍ୟାଙ୍କ ପାସ୍ବୁକ୍, ଚେକ୍ବୁକ୍, ମୋବାଇଲ୍, ଆଧାର, ପାନ୍ କାର୍ଡ, ଜିଏସ୍ଟି ଆଦି ଜବତ ହୋଇଛି। ବ୍ୟବହୃତ ବ୍ୟାଙ୍କ ଖାତାଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଛି। ଏହି ମାମଲା ନେଇ ତଦନ୍ତ ଜାରି ରହିଛି ବୋଲି କ୍ରାଇମ୍ ବ୍ରାଞ୍ଚ ତଥ୍ୟ ଦେଇଛି।