ଶାନ୍ତି ମିଶ୍ର ହତ୍ୟାକାରୀ କୁ ଆଜୀବନ କାରାଦଣ୍ଡ, ୨୫ ହଜାର ଟଙ୍କା ଜରିମାନା
ବ୍ରହ୍ମପୁର, ୨୦ / ୫ : – ଗଞ୍ଜାମ ଜିଲ୍ଲାର ଅତ୍ୟନ୍ତ ଚର୍ଚ୍ଚିତ ଗୋଶାଣିନୁଆଗାଁ ଶାନ୍ତି ମିଶ୍ର ହତ୍ୟାକାଣ୍ଡରେ ୧୨ ବର୍ଷ ପରେ ଶେଷ ନ୍ୟାୟ ଆସିଛି । ଦୌରା ଜଜ ଡ଼. ଭାଗ୍ୟଲକ୍ଷ୍ମୀ ରଥ ମଙ୍ଗଳବାର ରାୟ ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତ ସତୀଶ କୁମାର ମିଶ୍ର ଅଲିଆସ ମଉଜ ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି।
୨୦୧୩ ମସିହାର ଜାନୁଆରୀ ୨୯ ତାରିଖରେ ଶାନ୍ତି ମିଶ୍ରଙ୍କୁ ଗୋଶାଣିନୁଆଗାଁରେ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିଲା। ଅଭିଯୋଗ ମିଳିବା ପରେ ଗୋଶାଣିନୁଆଗାଁ ପୋଲିସ ୧୧/୧୩ ଅନୁସାରେ ମମଲା ରୁଜୁ କରି ମଉଜ ସହିତ କିଛି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କେତେକ ସମୟ ପରେ ମଉଜ ଜାମିନରେ ବାହାରି ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରାର ରହିଥିଲେ। କୋର୍ଟରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଶେଷରେ ୨୦୨୫ ଏପ୍ରିଲ ୧୪ ରେ ଜଟିଣିରୁ ଗିରଫ ହୋଇ, ବ୍ରହ୍ମପୁର ଜେଲକୁ ପଠାଯାଇଥିଲେ। ଏହି ମାମଲାରେ ୨୬ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଇଥିଲା। ବ୍ରହ୍ମପୁର ଜେଲରେ ଥିବା ମଉଜଙ୍କୁ ରାୟ ପ୍ରକାଶ ବେଳେ ଉଚିତ ସୁରକ୍ଷାରେ କୋର୍ଟକୁ ନେଇ ଆସାଯାଇଥିଲା। ସାକ୍ଷୀଙ୍କ ବୟାନ ଓ ଉପଲବ୍ଧ ପ୍ରମାଣ ଆଧାରରେ ଡ଼. ରଥ ତାଙ୍କୁ ଦୋଷୀ ଘୋଷଣା କରି ଆଜୀବନ ଜେଲ ଓ ଅର୍ଥଦଣ୍ଡ ରାୟ ଦେଇଛନ୍ତି। ମକଦ୍ଦମାରେ ସରକାର ପକ୍ଷରୁ ତତ୍କାଳୀନ ଜଣେ ପିପି ତ୍ରିଲୋଚନ ପରିଡା ଓ ବର୍ତ୍ତମାନରେ ପିପି ଦାୟିତ୍ୱ ଥିବା ବିକ୍ରମ କୁଣ୍ଡୁ ଅଭିଯୋଗ ପ୍ରମାଣିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିବାହନ କରିଛନ୍ତି।ଏହି ରାୟ ମାନବିକ ନ୍ୟାୟ ପ୍ରତି ବିଶ୍ୱାସକୁ ମଜବୁତ କରିଥିବା ସହ, ଦୀର୍ଘବର୍ଷ ଧରି ନ୍ୟାୟ ଅପେକ୍ଷା କରୁଥିବା ଶାନ୍ତି ମିଶ୍ରଙ୍କ ପରିବାର ପାଇଁ ଏକ ଆଶ୍ୱାସନ ସୂଚକ ହୋଇଛି।