ସଚିବମାନଙ୍କ ଉପରେ ନିୟନ୍ତ୍ରଣ, ମୁଖ୍ୟମନ୍ତ୍ରୀ ଅନୁମତି ବିନା ପ୍ରସ୍ତାବ ଅନୁମୋଦନ ହେବନି
ଭୁବନେଶ୍ବର, ୨୦ / ୫ : – ଓଡ଼ିଶାର ରାଜ୍ୟ ପ୍ରଶାସନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ସରକାର ପଦକ୍ଷେପ ନେଇଛି। ଏଥିରେ ସଚିବମାନଙ୍କ କ୍ଷମତା ଉପରେ ଏକ ପ୍ରଭାବଶାଳୀ ଅଙ୍କୁଶ ଲାଗିବା ସଂକେତ ମିଳିଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ବିଭାଗ ସଚିବଙ୍କୁ ଜାରି କରାଯାଇଥିବା ଚିଠି ଅନୁଯାୟୀ, କ୍ୟାବିନେଟ୍ ବସିବା ପୂର୍ବରୁ ଏବେ ଏକ ନିର୍ଦ୍ଧାରିତ ଶୃଙ୍ଖଳା ଅନୁସରଣ କରାଯିବ।
ନୂଆ ନିୟମାନୁସାରେ:
କ୍ୟାବିନେଟ ବସିବା ତାରିଖ ୫ ଦିନ ପୂର୍ବରୁ ଧାର୍ଯ୍ୟ ହେବ।
୩ ଦିନ ପୂର୍ବରୁ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ।
୨ ଦିନ ପୂର୍ବରୁ ସେହି ପ୍ରସ୍ତାବଗୁଡିକ ମନ୍ତ୍ରୀଙ୍କ ପାଖକୁ ପହଞ୍ଚିବ।
ଏହି ନୂଆ ବ୍ୟବସ୍ଥା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅନୁମତି ବିନା କୌଣସି ବିଭାଗ କ୍ୟାବିନେଟ୍ ପ୍ରସ୍ତାବ ଉପସ୍ଥାପନ କରିପାରିବେ ନାହିଁ। ଏହା ଫଳରେ, ସଂଘଟିତ ଓ ସଂଖ୍ୟାବଦ୍ଧ ଭାବେ କ୍ୟାବିନେଟ୍ ପ୍ରକ୍ରିୟା ଚାଲିବା ଆଶା କରାଯାଉଛି।
ଚିଠିରେ ଆହୁରି ସ୍ପଷ୍ଟ କରାଯାଇଛି ଯେ, ଆବଶ୍ୟକ ପଡ଼ିଲେ ବିଭାଗୀୟ ସଚିବମାନେ କ୍ୟାବିନେଟ୍ ରୁମ୍କୁ ପ୍ରବେଶ କରିପାରିବେ, କିନ୍ତୁ ଏହି ଅଧିକାର କେବଳ ମୁଖ୍ୟ ସଚିବ ଓ ଉନ୍ନୟନ କମିସନର ପାଇଁ ରହିବ।
ଏହି ପଦକ୍ଷେପ ସହ ରାଜ୍ୟର ପ୍ରଶାସନିକ ପଦ୍ଧତିକୁ ଅଧିକ ସଂଗଠିତ, ଦାୟିତ୍ୱମୟ ଓ ଅନୁଶାସିତ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଶାସନିକ ବୃତ୍ତରେ ମତ ଦିଆଯାଉଛି।