ବାଲେଶ୍ଵର, ୧୧/୧୦ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଟିପୋଲ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ବାଲିଆପାଳ ବ୍ଲକର ବଣିଆଡିହା ପଞ୍ଚାୟତର ଅବସରପ୍ରାପ୍ତ ସେନା ଅଧିକାରୀ ଅଜୟ କୁମାର ଜେନାଙ୍କ ସମେତ ପଞ୍ଚାୟତର ବହୁ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇ ଥିଲେ।ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଏବଂ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ନୂତନ କର୍ମୀମାନେ ଦଳରେ ଯୋଗ ଦେଇଥିବା ଦଳୀୟ ମହଲରେ ପ୍ରକାଶ କରାଯାଇଛି। ଏହି ଯୋଗଦାନ ଦ୍ୱାରା ବଣିଆଡିହା ପଞ୍ଚାୟତ ସମେତ ବସ୍ତା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ କୁ ଅଧିକ ସକ୍ରିୟ କରିବା ଏବଂ ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା।ଏହି ମିଶ୍ରଣ ପର୍ବରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଭଗବାନ ଗିରିଙ୍କ ସଭାପତିତ୍ୱ ମୁଖ୍ୟଅତିଥି ଭାବେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଦଳରେ ନୂତନ ଭାବେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି,ବସ୍ତା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ମହାଦେବ ଦାସ,ପରମେଶ୍ୱର ବାରିକ, ଶିବାନନ୍ଦ ଦାସ ଅଧିକାରୀ ଏବଂ ବସ୍ତା ଏନ୍ଏସି ବିଜେଡି ସଭାପତି କମଳା କାନ୍ତ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀମାନଙ୍କୁ ସ୍ୱାଗତ କରାଯିବା ସହ ଆଗାମୀ ଦିନରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା,ଜନସାଧାରଣଙ୍କ ସହ ଯୋଡ଼ି ହୋଇ ରହିବା ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା।ବସ୍ତା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏହି ମିଶ୍ରଣ ପର୍ବକୁ ନେଇ ସ୍ଥାନୀୟ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଦଳୀୟ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରିବା ଉପରେ ଦଳୀୟ ନେତୃବୃନ୍ଦ ଗୁରୁତ୍ୱ ଦେଇଛନ୍ତି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
