Hot Posts

6/recent/ticker-posts

ଅନ୍ଧାର ରାତିରେ ଡଙ୍ଗାରେ ବୁହା ହେଲା ମୃତଦେହ, ଦୁର୍ଗମ ଅଞ୍ଚଳର ଦୁର୍ଦ୍ଦଶା ପଦାରେ

କଳାହାଣ୍ଡି, ୧୦/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅନ୍ଧାର ରାତିରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗା ହେଲା ମୃତଦେହର ଏକମାତ୍ର ଭରସା। ଗାଁକୁ ନାହିଁ ରାସ୍ତା, ତେଣୁ ପ୍ରାୟ ୭ କିଲୋମିଟର ଡଙ୍ଗାରେ ବୁହା ହେଲା ମୃତଦେହ। ଏହି ହୃଦୟବିଦାରକ ଘଟଣା ପୁଣିଥରେ ଦୁର୍ଗମ ଅଞ୍ଚଳର ଦୟନୀୟ ଯୋଗାଯୋଗ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଲିଗୁଡ଼ା ପଞ୍ଚାୟତର ସୂର୍ଯ୍ୟଗଡ଼ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଗ୍ରାମର ଗୁରୁଧର ଟାକ୍ରି ଗୁରୁବାର ନବରଙ୍ଗପୁର ମେଡିକାଲରୁ ଘରକୁ ଫେରୁଥିବା ସମୟରେ ଖାତିଗୁଡ଼ା ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଲୁଦୁକୁଡ଼ି ଡଙ୍ଗାଘାଟରୁ ପ୍ରାୟ ୭ କିଲୋମିଟର ଡଙ୍ଗା ଯୋଗେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର କରାଇ କଣାସୁକୁଲି ଘାଟକୁ ଅଣାଯାଇଥିଲା। ସେଠାରୁ ଏକ ଶବବାହକ ଗାଡ଼ି ଯୋଗେ ମୃତଦେହକୁ ଗାଁକୁ ନିଆଯାଇଥିଲା। ଅନ୍ଧାର ରାତିରେ ଏଭଳି ଭାବେ ମୃତଦେହ ପରିବହନ କରାଯିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ଅନ୍ୟପଟେ, ମୃତକଙ୍କ ନାବାଳକ ପୁଅ ଓ ଝିଅ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ ଓ ଜରୁରୀକାଳୀନ ପରିବହନ ବ୍ୟବସ୍ଥାର ଅଭାବକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ଆଜି ବି ଏଭଳି ଅଞ୍ଚଳର ଲୋକଙ୍କୁ ମୃତଦେହ ଘରକୁ ଆଣିବା ପାଇଁ ଡଙ୍ଗା ଉପରେ ନିର୍ଭର କରିବାକୁ ପଡ଼ୁଛି।



କଳାହାଣ୍ଡିରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ