କଳାହାଣ୍ଡି, ୨୪/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ ଜୟପାଟଣା ଠାରୁ ବଡ଼ କର୍ଲାକୋଟ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି ବଢୁଛି ଦୁର୍ଘଟଣା ଲୋକେ ହନ୍ତସନ୍ତ ଗ୍ରାମାଞ୍ଚଳ ଯୋଗାଯୋଗ ବ୍ୟବସ୍ଥାର ସୁଧାର ପାଇଁ ସରକାର କୋଟିକୋଟି ଟଙ୍କାର ବ୍ୟୟବରାଦ କରୁଛନ୍ତି,କିନ୍ତୁ ବିଭାଗୀୟ ଅବହେଳା ଓ ଠିକାଦାରଙ୍କ ଚରମ ମନମୁଖୀ ମନୋଭାବ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି I କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧୀନରେ ଥିବା ବଡ଼ କର୍ଲାକୋଟରୁ ଜୟପାଟଣା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୮ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଥିଲେ ମଧ୍ୟ,ମାସ ମାସ ଧରି ରାସ୍ତାରେ କେବଳ ଡବ୍ଲ୍ୟୁ.ଏମ୍.ଏମ୍ ପକାଇ ଛାଡ଼ିଦିଆଯାଇଛି । ନିୟମ ଅନୁସାରେ ତୁରନ୍ତ ପିଚୁ କାମ ହେବା କଥା,କିନ୍ତୁ କାର୍ଯ୍ୟ ବନ୍ଦ ରହିବାରୁ ଉଡ଼ୁଥିବା ଧୂଳି ଓ ଖସଡ଼ା ଗୋଡ଼ିରେ ପଡ଼ି ପ୍ରତିଦିନ ଛାତ୍ରଛାତ୍ରୀ ଓ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି । ବଡ଼ କର୍ଲାକୋଟରୁ ଜୟପାଟଣା ଏହି ୫.୨ କିଲୋମିଟର ରାସ୍ତା ହେଉଛି ସ୍ଥାନୀୟ ଅଞ୍ଚଳବାସୀ, କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ଯାତାୟାତର ମୁଖ୍ୟ ମାଧ୍ୟମ । ବର୍ଷ ବର୍ଷ ଧରି ବେହାଲ ପଡ଼ିରହିବା ପରେ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ଫଳରେ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହାର ନବୀକରଣ ପାଇଁ ୮ କୋଟି ୭୩ ଲକ୍ଷ ୬୩ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ଆର.ଏସ. ଇନଫ୍ରାଷ୍ଟ୍ରକ୍ଚର ନାମକ 'ଏ' ଶ୍ରେଣୀର ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ସଡ଼କ ନିର୍ମାଣ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇଛି ଠିକା ସଂସ୍ଥା । ନିୟମ ଅନୁଯାୟୀ, ୱେଟ୍ ମିକ୍ସ ମାକାଡାମ୍ ବା ଡବ୍ଲ୍ୟୁ.ଏମ୍.ଏମ୍ (WMM) ବିଛାଇ କମ୍ପାକ୍ସନ୍ ଓ କ୍ୟୁରିଂ କରିବାର କିଛି ସପ୍ତାହ ମଧ୍ୟରେ ପ୍ରାଇମ୍ କୋଟ୍ ଦେଇ ପିଚୁ କାର୍ଯ୍ୟ ଶେଷ ହେବା ଆବଶ୍ୟକ। ମାତ୍ର ଏଠାରେ ମାସ ମାସ ଧରି କେବଳ WMM ପକାଇ କାର୍ଯ୍ୟ ବନ୍ଦ ରଖାଯାଇଛି । ଫଳରେ ଗାଡ଼ି ଚଳାଚଳ ଯୋଗୁଁ ମେଟାଲ୍ ସବୁ ଉପରକୁ ଉଠିଆସି ରାସ୍ତାର ମୂଳ ଭିତ୍ତି ନଷ୍ଟ ହେଉଛି ଏବଂ ପ୍ରଚଣ୍ଡ ଧୂଳିରେ ପରିବେଶ ପ୍ରଦୂଷିତ ହେଉଛି । ଏଭଳି ନିମ୍ନ ମାନର କାର୍ଯ୍ୟ କୁ ନେଇ ରାସ୍ତାର ସ୍ଥାୟୀତ୍ୱ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି I ରାସ୍ତାଟି ଏବେ କେବଳ ଅସୁବିଧା ନୁହେଁ,ବରଂ ମୃତ୍ୟୁଯନ୍ତାରେ ପରିଣତ ହୋଇଛି । ଖୋଲା ପଥର ଉପରେ ବାଇକ୍ ଚାଳକ ନିୟନ୍ତ୍ରଣ ହରାଇ ଖସିପଡ଼ୁଛନ୍ତି ଏବଂ ଏକାଧିକ ସ୍କୁଲ ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହୋଇ ହାତଗୋଡ଼ ଭାଙ୍ଗି ଚିକିତ୍ସିତ ହେଉଛନ୍ତି । ଏହାସହ ରାସ୍ତା ପାର୍ଶ୍ୱରେ ଥିବା କଲଭର୍ଟ କାମ ମଧ୍ୟ ଅତି ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି । ଏଷ୍ଟିମେଣ୍ଟ ଅନୁସାରେ କାମ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ନା ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ? ନିର୍ମାଣ ପରେ ରାସ୍ତା ନଷ୍ଟ ହେଲେ ଏଥିପାଇଁ ଦାୟୀ କିଏ ରହିବ ? ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି I କୋଟିକୋଟି ଟଙ୍କାର ଜନସାଧାରଣଙ୍କ ରାଜସ୍ୱ ଖର୍ଚ୍ଚ ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ କୌଣସି ତଦାରଖ ନାହିଁ । ଠିକାଦାର ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି । ଯଦି ତୁରନ୍ତ ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ କରାନଯାଏ,ତେବେ ଆଗାମୀ ଦିନରେ ଗ୍ରାମବାସୀ ରାସ୍ତାରୋକ ସହ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

