ଧର୍ମଗଡ଼ରେ ବିଜେପିର ଶକ୍ତିବୃଦ୍ଧି, ବିଜେଡି-କଂଗ୍ରେସର ୭୦୦ରୁ ଊର୍ଦ୍ଧ୍ୱ କର୍ମୀଙ୍କ ଯୋଗଦାନ
ଧର୍ମଗଡ଼, ୨୭/୧୦ (ପ୍ରଦିପ ସେଠିଆ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ରାଜ ହୋଟେଲଠାରେ ଆୟୋଜିତ ଏହି ସମାବେଶରେ ବିଜେଡି ଓ କଂଗ୍ରେସର ୭୦୦ରୁ ଊର୍ଦ୍ଧ୍ୱ କର୍ମୀ ଦଳରେ ଯୋଗଦେଇଥିବା ବିଜେପି ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଥିବା ଦଳୀୟ ନେତାମାନେ କହିଛନ୍ତି। ଏହି ଯୋଗଦାନ ଧର୍ମଗଡ଼ ଅଞ୍ଚଳରେ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବିଜେପି ରାଜ୍ୟ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ନଗରପାଳ ଅଶୋକ ମହାନ୍ତିଙ୍କ ସମେତ ଦଳର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀଙ୍କୁ ସ୍ୱାଗତ କରାଯିବା ସହ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଉପରେ ନେତାମାନେ ଗୁରୁତ୍ୱ ଦେଇଥିଲେ।.