୭ ବର୍ଷ ବିତିଲା, ସରିଲାନି ଏସ୍ଏଚ୍ଜି କମ୍ୟୁନିଟି ହଲ୍ ୪ ଲକ୍ଷ ଟଙ୍କାର ପ୍ରକଳ୍ପ ଅଧାପନ୍ତରିଆ, ଗୃହ ଅପେକ୍ଷାରେ ମହିଳା
ବେହେରା, ୨୬/୧୦ (ପ୍ରଦିପ ସେଠିଆ) : ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ମହିଳାଙ୍କ ସାମୂହିକ କାର୍ଯ୍ୟକ୍ରମ ପାଇଁ ନିର୍ମାଣ ହେଉଥିବା କମ୍ୟୁନିଟି ହଲ୍ ୭ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରାଠାରେ ଏହି ଗୃହ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ସୂଚନାନୁଯାୟୀ, ଏସ୍ଏଚ୍ଜି ମହିଳାଙ୍କ ବୈଠକ, ଆଲୋଚନା ଓ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ ପାଇଁ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ୨୦୧୮-୧୯ ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ମାତ୍ର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ ମହିଳାମାନେ ଏହି ଗୃହର ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ, ଏକ ସରକାରୀ ପ୍ରକଳ୍ପ ସାତ ବର୍ଷ ଧରି ଅସମ୍ପୂର୍ଣ୍ଣ ରହିବା ଏହାର ତଦାରଖ ଓ କାର୍ଯ୍ୟାନ୍ୱୟନକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ମଞ୍ଜୁର ଅର୍ଥରୁ କେତେ ଖର୍ଚ୍ଚ ହୋଇଛି ଏବଂ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଆଉ କେତେ ଅର୍ଥ ଆବଶ୍ୟକ, ତାହା ଜାଣିବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ରୋମାଞ୍ଚଳ ଭୋଇଙ୍କୁ ପଚାରିବାରୁ ଅର୍ଥ ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ଆଗେଇ ପାରିନଥିଲା ବୋଲି କହିଥିଲେ। ବର୍ତ୍ତମାନ ଅର୍ଥ ଆସିଥିବାରୁ ଖୁବ୍ଶୀଘ୍ର ଗୃହ ନିର୍ମାଣ ଶେଷ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଯନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେଉଛି ଏବଂ ମହିଳାମାନେ କେବେ କମ୍ୟୁନିଟି ହଲ୍ର ସୁବିଧା ପାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।