ବାତ୍ୟା ଆଶଙ୍କାରେ ଦକ୍ଷିଣ ଓଡ଼ିଶା: କୋରାପୁଟ ପ୍ରଶାସନ ସଜାଗ, ବାଲିଆ ଆଶ୍ରୟସ୍ଥଳୀ ପ୍ରସ୍ତୁତ; ଅମଳ ବେଳେ କୋଟପାଡ଼ ଚାଷୀଙ୍କ ମୁଣ୍ଡରେ ଚିନ୍ତାର କଳାବାଦଲ
ଜୟପୁର, ୨୫/୧୦ ( ଏ. ଭେଙ୍କଟ ରାଓ ) : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ଆଶଙ୍କା ଘନେଇବା ସହ ଦକ୍ଷିଣ ଓଡ଼ିଶା ପ୍ରତି ପ୍ରବଳରୁ ଅତି ପ୍ରବଳ ବର୍ଷାର ବିପଦ ମାଡ଼ିଆସୁଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହି ପାଣିପାଗ ସିଷ୍ଟମ୍ ଅତିକ୍ରମ କରିବାର ସମ୍ଭାବନା ରହିଥିବାରୁ କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ସମେତ ଆଖପାଖ ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍ରେ ରହିଛି। ଜିଲ୍ଲାର ଜରୁରୀକାଳୀନ ବିଭାଗ, ଓଡ୍ରାଫ୍ (ODRAF), ଅଗ୍ନିଶମ ବାହିନୀ ଓ ସ୍ୱାସ୍ଥ୍ୟ ଟିମ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ବାଲିଆଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖାଯାଇଛି। କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତଳିଆ ଓ ମାଟିଘରେ ରହୁଥିବା ଲୋକଙ୍କୁ ତୁରନ୍ତ ଏଠାକୁ ସ୍ଥାନାନ୍ତର କରାଯିବା ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଶ୍ରୟସ୍ଥଳୀରେ ବିପନ୍ନଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ଜେନେରେଟର ବ୍ୟବସ୍ଥା, ଆଲୋକ, ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱଚ୍ଛ ପରିମଳ ସୁନିଶ୍ଚିତ କରାଯାଇଛି। ଏହା ସହିତ ପ୍ରାଥମିକ ଚିକିତ୍ସା ସାମଗ୍ରୀ ଓ ଉଦ୍ଧାରକାରୀ ସରଞ୍ଜାମଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ବାଲିଆ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ବଲ୍ଲଭ ନାରାୟଣ ପଟ୍ଟନାୟକ କହିଛନ୍ତି ଯେ, "ଲୋକଙ୍କ ସୁରକ୍ଷା ଆମ ପାଇଁ ପ୍ରଥମ ପ୍ରାଥମିକତା। ଆଶ୍ରୟସ୍ଥଳୀରେ ଆବଶ୍ୟକ ଲାଇଟ୍, ପାଣି ଓ ଅନ୍ୟାନ୍ୟ ଜରୁରୀ ଉପକରଣ ମହଜୁଦ ରହିଛି। ବିପର୍ଯ୍ୟୟ ସମୟରେ ପ୍ରଭାବିତ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ସ୍ଥାନୀୟ କମିଟି ସମ୍ପୂର୍ଣ୍ଣ ପ୍ରସ୍ତୁତ।" ପ୍ରଶାସନିକ ନିର୍ଦ୍ଦେଶ ଆସିବା ମାତ୍ରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ, ଏହି ସମ୍ଭାବ୍ୟ ବାତ୍ୟା କୋରାପୁଟ ଜିଲ୍ଲାର ଶସ୍ୟଭଣ୍ଡାର କୁହାଯାଉଥିବା କୋଟପାଡ଼ ବ୍ଲକର ଚାଷୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। କିଛି ମାସ ତଳେ ହୋଇଥିବା ବନ୍ୟା ଯୋଗୁଁ କୋଟପାଡ଼ ଅଞ୍ଚଳର ଚାଷୀମାନେ ବ୍ୟାପକ କ୍ଷତି ସହିଥିଲେ। ଏବେ ସେହି କ୍ଷତିରୁ ସଳଖି ଉଠିବା ପୂର୍ବରୁ ଧାନ ଅମଳ ସମୟରେ ବାତ୍ୟା ଓ ଅଦିନିଆ ପ୍ରବଳ ବର୍ଷାର ପୂର୍ବାନୁମାନ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ବର୍ତ୍ତମାନ କିଆରୀରେ ଧାନ ପାଚି ରହିଛି। ଏହି ସମୟରେ ଯଦି ପ୍ରବଳ ବର୍ଷା ଓ ପବନ ହୁଏ, ତେବେ ପାଚିଲା ଧାନ ଗଛ ନଇଁପଡ଼ିବା ସହ କ୍ଷେତରେ ପାଣି ଜମି ଶସ୍ୟ ଗଜା ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଖାଲୁଆ ଜମିଗୁଡ଼ିକରେ ସ୍ଥିତି ଅଧିକ ସଙ୍ଗିନ ହେବା ଆଶଙ୍କା ରହିଛି। ଅନେକ ଚାଷୀ ଋଣ କରି ଚାଷ କରିଥିବା ବେଳେ ଫସଲ ହାନି ହେଲେ ସେମାନେ ସର୍ବସ୍ୱାନ୍ତ ହୋଇପଡ଼ିବେ। ଏହାକୁ ନେଇ କୋଟପାଡ଼ରେ ଏବେ ଗଭୀର ଭାଳେଣି ପଡ଼ିଛି। ଶ୍ରମିକ ଅଭାବ ଓ ଅନିଶ୍ଚିତ ପାଣିପାଗ ଯୋଗୁଁ ଆଗୁଆ ଧାନ କାଟିବା ମଧ୍ୟ କଷ୍ଟକର ହେଉଛି। ଏହାଛଡ଼ା କଟା ଧାନକୁ ଘୋଡ଼ାଇ ରଖିବା ପାଇଁ ପର୍ଯ୍ୟାପ୍ତ ପଲିଥିନ୍ ବା ତାରପୋଲିନ୍ ଅଭାବ ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି।
କୃଷି ବିଭାଗର ପରାମର୍ଶ ଓ ପ୍ରଶାସନ ନିକଟରେ ଦାବି:
ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସତର୍କ କରାଯାଇଛି। ଯେଉଁ କ୍ଷେତରେ ୮୦ ରୁ ୮୫ ପ୍ରତିଶତ ଧାନ ପାଚିସାରିଛି, ତାହାକୁ ତୁରନ୍ତ ଅମଳ କରି ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଅମଳ ହୋଇନଥିବା ଜମିରୁ ନାଳି କରି ପାଣି ନିଷ୍କାସନ ବ୍ୟବସ୍ଥା ଖୋଲା ରଖିବାକୁ କୁହାଯାଇଛି। ଅନ୍ୟପଟେ, ବନ୍ୟା ପ୍ରପୀଡ଼ିତ କୋଟପାଡ଼ ଚାଷୀଙ୍କ ପାଇଁ ସରକାରୀ ସ୍ତରରେ ମାଗଣା ତାରପୋଲିନ୍ ଯୋଗାଣ, ଫସଲ କ୍ଷୟକ୍ଷତିର ତୁରନ୍ତ ସର୍ଭେ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଜରିଆରେ କ୍ଷତିପୂରଣ ଦେବାକୁ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହୋଇଛି।