କଳାହାଣ୍ଡି, ୧୯/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମୁଘୁମୁ ନାଦ, ଘଣ୍ଟ, ନିଶାନ ଓ ଢୋଲତାସାର ଗମ୍ଭୀର ଧ୍ୱନି ସାଙ୍ଗକୁ ଭକ୍ତଙ୍କ ‘ମା’ ମାଣିକେଶ୍ୱରୀ କି ଜୟ’ ଜୟଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ଭବାନୀପାଟଣା ସହର। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହୋଇଛି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। କେବଳ କଳାହାଣ୍ଡି ଜିଲ୍ଲା ନୁହେଁ, ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇଥିଲେ। ଭବାନୀପାଟଣା ସହରର ରାଜପ୍ରାସାଦ ପରିସରରେ ଅବସ୍ଥିତ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ରବିବାର ମଧ୍ୟରାତ୍ରିରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ନିଶାର୍ଦ୍ଧରେ ମା’ଙ୍କ ପ୍ରତୀକ ଛତରକୁ ସହର ଉପକଣ୍ଠ ଆଶାସାଗର ନିକଟସ୍ଥ ଜେନାଖାଲକୁ ନିଆଯାଇଥିଲା। ସେଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁପ୍ତପୂଜା ସମ୍ପନ୍ନ ହୋଇଥିଲା। ସୋମବାର ମହାନବମୀ ତିଥିରେ ପ୍ରାତଃ ୪ ଟା ୪୫ ମିନିଟ୍ରେ ଏକ ବିଶାଳ ପଟୁଆରରେ ଛତରକୁ ମନ୍ଦିର ଅଭିମୁଖେ ଅଣାଯାଇଥିଲା। ଏହି ଶୋଭାଯାତ୍ରାରେ ଘଣ୍ଟଦଳ, ନିଶାନଦଳ, ଦୁଲଦୁଲି ଓ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ଘୁମୁରାର ବୀରତ୍ୱପୂର୍ଣ୍ଣ ତାଳ ସହ ଭକ୍ତଙ୍କ ଜୟଧ୍ୱନିରେ ସମଗ୍ର ସହର ଭକ୍ତିମୟ ହୋଇଉଠିଥିଲା। ମା’ଙ୍କ ଦିବ୍ୟ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଶାକ୍ତ ପରମ୍ପରା ଅନୁଯାୟୀ, ମାନସିକ ପୂରଣ ହେବା ପରେ ଅନେକ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ଶୁକ୍ଳଭୋଗ ଅର୍ପଣ କରିଥିବାବେଳେ କେତେକ ଶ୍ରଦ୍ଧାଳୁ ପାରମ୍ପରିକ ବଳି ପ୍ରଦାନ କରିଥିଲେ। ଆଉ କେତେକ ଭକ୍ତ କପୋତ ଉଡ଼ାଇ ନିଜ ମାନସିକ ପୂରଣ କରିଥିଲେ। ଏହି ସମୟରେ ଛତର ଉପରେ କପୋତ ବସି ରହିଥିବାର ଦୃଶ୍ୟ ମଧ୍ୟ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅନ୍ୟପକ୍ଷରେ, ପାରମ୍ପରିକ ବଳି ପ୍ରଥା ଯୋଗୁଁ ଜେନାଖାଲଠାରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ରକ୍ତର ଚିହ୍ନ ଦେଖିବାକୁ ମିଳିଥିଲା। ବର୍ଷତମାମ ମା’ ମାଣିକେଶ୍ୱରୀ ମନ୍ଦିରର ଗର୍ଭଗୃହରେ ପୂଜା ପାଉଥିବାବେଳେ ଛତର ଯାତ୍ରା ଅବସରରେ ମା’ଙ୍କ ପ୍ରତୀକ ଛତର ରାଜରାସ୍ତାକୁ ବିଜେ କରିଥାଏ। ଏହି ଦିନ ଶ୍ରଦ୍ଧାଳୁମାନେ ମା’ଙ୍କୁ ଅତି ନିକଟରୁ ଦର୍ଶନ କରି ନିଜର ଦୁଃଖ, ସମସ୍ୟା ଓ ମାନସିକ ଜଣାଇଥାନ୍ତି। ତେଣୁ ଏହି ପବିତ୍ର ଦିନକୁ ଭକ୍ତମାନେ ବର୍ଷସାରା ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି। ଭକ୍ତି, ପରମ୍ପରା ଓ ଲୋକସଂସ୍କୃତିର ଅନନ୍ୟ ସମନ୍ୱୟ ଭାବେ ପରିଚିତ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପୁଣିଥରେ କଳାହାଣ୍ଡିର ସମୃଦ୍ଧ ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ମହତ୍ତ୍ୱକୁ ପ୍ରତିପାଦିତ କରିଛି। ଏହି ଅବସରରେ ଯୁବରାଜ ଅଦ୍ୱୈତ ପ୍ରତାପ ଦେଓଙ୍କ ଦ୍ୱାରା ମା’ ମାଣିକେଶ୍ୱରୀଙ୍କ ଛତର ବିଜେ ସମ୍ପନ୍ନ ହୋଇଥିଲା।
କଳାହାଣ୍ଡି, ଭବାନୀପାଟଣାରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

