ଇଚ୍ଛାପୁରରେ ଶାରଦୀୟ ଉତ୍ସବ ପାଳିତ
ନାଚୁଣୀ, ୨୩/୧୦ (ମାନସ ରଞ୍ଜନ କର) : ଚିଲିକା ବ୍ଲକ୍ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବୁଧବାର ଗ୍ରାମବାସୀଙ୍କ ସହଯୋଗରେ ଶାରଦୀୟ ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ବାଙ୍କନିଧି ଦେବଙ୍କୁ ଘଣ୍ଟ, ପଖାଉଜ, କାହାଳୀ ଓ ଶଙ୍ଖ ଆଦି ବାଦ୍ୟର ଧ୍ୱନି ମଧ୍ୟରେ ଭକ୍ତମାନେ ଗ୍ରାମର ସମସ୍ତ ସାହି ପରିକ୍ରମା କରାଇ ଦଶହରା ବେଦିକୁ ନେଇଥିଲେ। ସେଠାରେ ସଂକୀର୍ତ୍ତନ ଗାୟକ ଗୌରାଙ୍ଗ ସ୍ୱାଇଁଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ପୂଜାର୍ଚ୍ଚନା ପରେ ଶାରଦୀୟ ଉତ୍ସବ କମିଟି, ଇଚ୍ଛାପୁର ଓ ସମାଜସେବୀ ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦ, ଇଚ୍ଛାପୁରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାଂସ୍କୃତିକ ସମାରୋହ ପୂର୍ବରୁ ସ୍ମୃତି ସଂସଦର ସମ୍ପାଦକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଉତ୍ସବ କମିଟିର ପରିଚାଳକ ଶରତ ସ୍ୱାଇଁଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିରିବାଡ଼ିସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠର ପ୍ରଧାନଶିକ୍ଷକ କୁନା ମହତ୍ୱ ମୁଖ୍ୟ ଅତିଥି, ଛୋଟରାୟପୁରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରାହ୍ମଚାରୀ ଜେନା ମୁଖ୍ୟବକ୍ତା ଏବଂ ଛକଡ଼ିପୁର ଗ୍ରାମର ସମାଜସେବୀ ଲକ୍ଷ୍ମୀଧର ପଲେଇ, ଇଚ୍ଛାପୁର ବାଙ୍କନିଧି ଦେବ ନାଟ୍ୟ ସଂସଦର ପରିଚାଳକ ଚନ୍ଦ୍ରଶେଖର ପ୍ରଧାନ ଓ ନୃତ୍ୟ ନିର୍ଦ୍ଦେଶକ ସଂଗ୍ରାମ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ କୃପାରେ ଅନ୍ୟାୟ ଉପରେ ନ୍ୟାୟର, ଅସତ୍ୟ ଉପରେ ସତ୍ୟର ଏବଂ ଅହଂକାର ଉପରେ ବିବେକର ବିଜୟ ହୋଇଥାଏ ବୋଲି କହିଥିଲେ। ମୁଖ୍ୟବକ୍ତା କନ୍ୟାଭ୍ରୂଣ ହତ୍ୟା, ନାରୀ ନିର୍ଯାତନା ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ କରିବା ସହ ସମାଜରେ ନାରୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ସଭା ପରେ ଗ୍ରାମର ଚତୁର୍ଥ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ନେଇ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ କଣ୍ଠସଙ୍ଗୀତ, ଏକକ ନୃତ୍ୟ ଓ ଦଳୀୟ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଦେବରାଜ ପ୍ରଧାନ ଘୋଷକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ସନ୍ତୋଷ କୁମାର ମହାରଣାଙ୍କ ରଚନା ଓ ନିର୍ଦ୍ଦେଶନାରେ ଗ୍ରାମର କଳାକାରମାନେ ସଚେତନତାଧର୍ମୀ ସାମାଜିକ ନାଟକ ‘ଧନୀ ପୁଅର ଗର୍ବ ଚୂର୍ଣ୍ଣ’ ମଞ୍ଚସ୍ଥ କରିଥିଲେ। ପ୍ରତ୍ୟେକ ବିଭାଗରେ ଉତ୍ତମ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ନଭେମ୍ବର ୧୫ ତାରିଖରେ ପାଳିତ ହେବାକୁ ଥିବା ସମାଜସେବୀ ବିଶ୍ୱନାଥ ସ୍ୱାଇଁଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।