ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦଶ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ
ବେଗୁନିଆ, ୧୦/୧୦ (ମାନସ ରଞ୍ଜନ କର): ବେଗୁନିଆସ୍ଥିତ ପିଏମ୍ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶଙ୍କ ପୌରୋହିତ୍ୟରେ ଦଶ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପରିଚାଳନା କମିଟି ଓ ପଞ୍ଚସଖା ଶିକ୍ଷାସେତୁର ସହଯୋଗରେ ଡା. ପ୍ରକାଶ ଚନ୍ଦ୍ର ନନ୍ଦଙ୍କ ଦ୍ୱାରା ଏକ ପ୍ରାକୃତିକ ଚିକିତ୍ସା ଓ ସଚେତନତା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ସ୍ୱାଭିମାନ ମଞ୍ଚର ସମ୍ପାଦକ ପ୍ରଫେସର ଡ. ପ୍ରଭାକର ତ୍ରିପାଠୀଙ୍କ ରଚନା ଏବଂ ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ସୁରେଶ ବୋଷ ଓ ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଧାରିତ ଐତିହାସିକ ନାଟକ ‘ସତ୍ୟ ହେଲେ ସାଂଘାତିକ’ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ଉତ୍ସବରେ ପ୍ରାକ୍ତନ ଜିଲ୍ଲା ବିଚାରପତି ଦେବଯାନୀ ଦାଶ ମୁଖ୍ୟ ଅତିଥି ଏବଂ ପ୍ରାକ୍ତନ ପୁରୀ ଶ୍ରୀମନ୍ଦିର ପ୍ରଶାସକ ପ୍ରସନ୍ନ କୁମାର ହୋତା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବେଗୁନିଆର ଦୁଇ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁରେଶ ଚନ୍ଦ୍ର ସେଠୀ ଓ ତ୍ରିନାଥ ବେହେରା, ଆଧ୍ୟାତ୍ମିକ ପ୍ରବକ୍ତା ପୂର୍ଣ୍ଣଚନ୍ଦ୍ର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ ବାରିକ, ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧ୍ୟକ୍ଷ ମାୟାଧର ମାର୍ଥା ଓ ଉପାଧ୍ୟକ୍ଷ ଭବାନୀ ଶଙ୍କର ଜୟସିଂହଙ୍କ ସମେତ ସ୍ୱାଭିମାନ ମଞ୍ଚ ପକ୍ଷରୁ ସୁବାସଚନ୍ଦ୍ର ପଣ୍ଡା, ନିରଞ୍ଜନ ତ୍ରିପାଠୀ, ଅର୍ଜୁନ ପରମଗୁରୁ, ତ୍ରିଲୋଚନ ମହାପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ, ପ୍ରସନ୍ନ ରଥ, ବୈକୁଣ୍ଠନାଥ ନାୟକ, ରବିନାରାୟଣ ମହାନ୍ତି, ବାସୁଦେବ ସାହୁ, ସ୍ୱରାଜ ମିଶ୍ର ଓ ସୁବାସ ଚନ୍ଦ୍ର ମହାପାତ୍ର, ବେଗୁନିଆର ଶିକ୍ଷକ ନେତା ରବୀନ୍ଦ୍ର ମହାପାତ୍ର, ବୋଲଗଡ଼ର ଦୁଇ ଶିକ୍ଷକ ନେତା ଶୈଲେନ ପଟ୍ଟନାୟକ ଓ ପ୍ରଫୁଲ୍ଲ ସିଂହ, ସମାଜସେବୀ ଦୁର୍ଗାଚରଣ ସୁବୁଦ୍ଧି, କ୍ଷେତ୍ରମୋହନ ରଣା ଓ ବିଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦଶ ମହାପୁରୁଷଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସଭା ସଂଯୋଜନା କରିଥିଲେ। ‘ଗୋପବନ୍ଧୁ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ’ ପ୍ରସଙ୍ଗକୁ ନେଇ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ଓ ନାଟକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।