ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ମାଁ ମାଣିକେଶ୍ୱରୀଙ୍କ ଛତରଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
କଳାହାଣ୍ଡି, ୧୮/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ପାର୍ବଣର ଆଗମନରେ ସମଗ୍ର କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ ଉତ୍ସବମୁଖର ହୋଇଉଠିଛି। ରାସ୍ତାଘାଟଠାରୁ ଆରମ୍ଭ କରି ଦେବୀପୀଠ ଓ ପୂଜାମଣ୍ଡପ ସବୁଠି ଚାଲିଛି ଦେବୀ ଆରାଧନା ଏବଂ ଉତ୍ସବର ମାହୋଲ। ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ତଥା ଐତିହାସିକ ଛତରଯାତ୍ରା। ଏହି ମହାନ ପର୍ବ ପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାଁ ’ଙ୍କ ଆଗମନକୁ ସ୍ୱାଗତ କରିବା ପାଇଁ ,ଘଣ୍ଟ, ନିଶାନ,ତାସା ସହ କଳାହାଣ୍ଡିର ବୀର ବାଦ୍ୟ 'ଘୁମୁରା'ର ତାଳେ ତାଳେ ଜୋରଦାର ଅଭ୍ୟାସ ଚାଲିଛି। ବାଦ୍ୟର ତାଳେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଛି। ବର୍ଷସାରା ମାଁ ’ଙ୍କ ପୂଜାର୍ଚନା ଚାଲୁଥିଲେ ମଧ୍ୟ ବର୍ଷକୁ ଥରେ ଏହି ଛତରଯାତ୍ରାରେ ମାଁ ଙ୍କ ବିଜୟ ପ୍ରତିମା ଛତରର ଦର୍ଶନ ମିଳୁଥିବାରୁ ଅସଂଖ୍ୟ ଭକ୍ତ ଏହି ଦିନଟିକୁ ଅପେକ୍ଷା କରିରହିଥାନ୍ତି ପରମ୍ପରା ଅନୁଯାୟୀ, ମହାଷ୍ଟମୀର ମଧ୍ୟରାତ୍ରିରେ ମା’ଙ୍କ ବିଜୟ ପ୍ରତିମା ଛତରକୁ ଗର୍ଭଗୃହରୁ ବାହାର କରାଯାଇ ଛତ୍ରବାହକ, ମୁଣ୍ଡଛିନା ଜେନା ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠ ଫାଶୀଡଙ୍ଗରସ୍ଥିତ ଜେନାଖାଲକୁ ନିଆଯାଇଥାଏ। ସେଠାରେ ଗୁପ୍ତପୂଜା ଓ ସନ୍ଧିପୂଜା ସମ୍ପନ୍ନ ହେବା ପରେ ମହାଷ୍ଟମୀ ଭୋରରୁ ଆରମ୍ଭ ହୁଏ ମା’ଙ୍କ ମନ୍ଦିର ଅଭିମୁଖେ ଯାତ୍ରା। ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼ ଜମି ଥାଏ ମା’ଙ୍କ ଦର୍ଶନ ପାଇଁ l ଶେଷରେ ମା’ଙ୍କ ପ୍ରତିମା ମନ୍ଦିରରେ ପହଞ୍ଚିବା ପରେ କଳାହାଣ୍ଡିର ମହାରାଜା ବନ୍ଦାପନା କରି ଛତରକୁ ଗର୍ଭଗୃହରେ ସ୍ଥାପନ କରିଥାନ୍ତି। ଯାତ୍ରା ସମୟରେ ବଳିପ୍ରଥାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଓ ବିବାଦ ଲାଗିରହିଥିଲେ ମଧ୍ୟ ଏହା ଭକ୍ତଙ୍କ ଆସ୍ଥାକୁ ପ୍ରଭାବିତ କରିପାରିନାହିଁ। ମାନସିକ ରଖିଥିବା ଭକ୍ତମାନେ ବୋଦା, ଛେଳି ଓ କୁକୁଡ଼ା ଆଦି ବଳି ଦେଉଥିବା ବେଳେ ଅନେକ ଶାନ୍ତିର ପ୍ରତୀକ ପାରା ଉଡ଼ାଇ ମା’ଙ୍କ ନିକଟରେ ମନୋକାମନା ଜଣାଇଥାନ୍ତି। ତେବେ ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତାରେ ହେଉଥିବା ବଳିପ୍ରଥାକୁ ନିୟନ୍ତ୍ରଣ ଓ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଛତରଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାରକୋଣ୍ଡା ସୂଚନା ଅନୁଯାୟୀ, ଯାତ୍ରା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୫ଟି ସ୍ଥାନରେ ସିସିଟିଭି କ୍ୟାମେରା, ୯୫ ଜଣ ପୋଲିସ ଅଧିକାରୀ ଏବଂ ଡ୍ରୋନ୍ ମାଧ୍ୟମରେ ସମଗ୍ର ଯାତ୍ରା ଉପରେ କଡ଼ା ନଜର ରଖାଯିବ।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ