ସିନାପାଲି ପ୍ରାଣୀ ଚିକିତ୍ସାଳୟରେ ଅବହେଳା ଅଭିଯୋଗ: ଚିକିତ୍ସା ଅପେକ୍ଷାରେ ଗୁରୁତର ଗାଈ, ଖାଲି ପଡ଼ୁଛି ଅଧିକାରୀଙ୍କ ଚୌକି!
ସିନାପାଲି, ୨୧/୧୦ ( ପରମେଶ୍ୱର ମେହେର ) : ଗୃହପାଳିତ ପଶୁଙ୍କ ଚିକିତ୍ସା ସେବାକୁ ନେଇ ସିନାପାଲି ପ୍ରାଣୀ ଚିକିତ୍ସାଳୟର କାର୍ଯ୍ୟପ୍ରଣାଳୀ ଉପରେ ପୁଣି ଉଠିଛି ପ୍ରଶ୍ନ। ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ଠିକ୍ ସମୟରେ ଚିକିତ୍ସା ମିଳିନଥିବାରୁ ୨ରୁ ୩ଟି ଗାଈଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ଆଉ ଏକ ଗାଈ ଗୁରୁତର ଅବସ୍ଥାରେ ଥିବାବେଳେ ତାହାର ଚିକିତ୍ସାକୁ ନେଇ ମାଲିକ ଚିନ୍ତାରେ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ପ୍ରାଣୀ ଚିକିତ୍ସା ସେବାର ଉପଲବ୍ଧତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ବରଗାଁର ଜଣେ ବ୍ୟକ୍ତି ନିଜ ଗାଈର ଚିକିତ୍ସା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ ଫୋନ୍ କଲେ ମଧ୍ୟ କେହି ଫୋନ୍ ଉଠାଉନଥିବା ଏବଂ ଟୋଲ୍ ଫ୍ରି ନମ୍ବରକୁ ଯୋଗାଯୋଗ କରିବା ପରେ ମଧ୍ୟ ଭିଏସ୍ (ପ୍ରାଣୀ ଚିକିତ୍ସା) କର୍ମଚାରୀ ଚିକିତ୍ସା ପାଇଁ ପହଞ୍ଚୁନଥିବା ଅଭିଯୋଗ ହୋଇଛି। ଏନେଇ କାର୍ଯ୍ୟାଳୟକୁ ଯାଇ ଦେଖିବାବେଳେ ଅଧିକାରୀଙ୍କ ଚୌକି ଖାଲି ପଡ଼ିଥିବା ଏବଂ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ନଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ଦୁଇଜଣ ନିମ୍ନ କର୍ମଚାରୀ ଏହି ମାମଲାରେ ନିଜ ହାତରେ କିଛି ନଥିବା କହିଥିବା ଜଣାପଡ଼ିଛି। ଫଳରେ ଗୁରୁତର ଗାଈର ଚିକିତ୍ସା କିଏ କରିବ ଏବଂ ଜରୁରୀ ସମୟରେ ପଶୁପାଳକମାନେ କାହା ଉପରେ ଭରସା କରିବେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ପ୍ରାଣୀ ଚିକିତ୍ସା କର୍ମଚାରୀ କାର୍ଯ୍ୟାଳୟରେ ଉପଲବ୍ଧ ରହୁନଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ଗାଈ, ଛେଳି ଓ ଅନ୍ୟାନ୍ୟ ପାଳିତ ପଶୁଙ୍କ ଉପରେ ନିର୍ଭର କରି ଜୀବିକା ଚଳାଉଥିବା ଗରିବ ପଶୁପାଳକଙ୍କ ପାଇଁ ଏହା ଗୁରୁତର ସମସ୍ୟା ପାଲଟିଛି। ଠିକ୍ ସମୟରେ ଚିକିତ୍ସା ନମିଳିଲେ ଗୋଟିଏ ପଶୁର ମୃତ୍ୟୁ ପରିବାରର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇପାରେ। ଏତେସବୁ ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ପାଇଁ କାହିଁକି ଠୋସ୍ ପଦକ୍ଷେପ ନିଆଯାଉନାହିଁ, ତାହାକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ଏହି ସମସ୍ୟା ପ୍ରତି ସ୍ଥାନୀୟ ଜନପ୍ରତିନିଧି ଓ ରାଜନୈତିକ ନେତାମାନଙ୍କ ଦୃଷ୍ଟି କାହିଁକି ପଡ଼ୁନାହିଁ ବୋଲି ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି। ଏବେ ପ୍ରଶ୍ନ ଉଠୁଛି—ଗୁରୁତର ଅବସ୍ଥାରେ ଥିବା ଗାଈଟିର ଚିକିତ୍ସା କେବେ ହେବ? ଯଦି ଚିକିତ୍ସା ଅଭାବରୁ ପୁଣି ଏକ ଗାଈର ମୃତ୍ୟୁ ହୁଏ, ତେବେ ଏଥିପାଇଁ କିଏ ଦାୟୀ ରହିବ? ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ପ୍ରାଣୀ ସମ୍ପଦ ବିଭାଗ ତୁରନ୍ତ ଘଟଣାର ତଦନ୍ତ କରିବା ସହ ଚିକିତ୍ସା ସେବାକୁ ସୁନିଶ୍ଚିତ କରିବା ଏବଂ ଦାୟିତ୍ୱରେ ଅବହେଳା ହୋଇଥିଲେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ସାଧାରଣ ଲୋକଙ୍କ ଆଶା—ଅଭିଯୋଗ ଓ ଖବର ପ୍ରସାରଣରେ ସୀମିତ ନରହି, ପ୍ରଶାସନ କେବେ ଚେତିବ ଏବଂ ପଶୁପାଳକଙ୍କୁ ନିୟମିତ ଚିକିତ୍ସା ସେବା ମିଳିବ?