ଜୟପୁରରେ ମାଟି ତଳୁ ବାହାରିଲା ମା’ ମାଣିକେଶ୍ୱରୀଙ୍କ ପ୍ରତିମା
ଜୟପୁର, ୨୬/୧୦ ( ଏ. ଭେଙ୍କଟ ରାଓ ) : ଜୟପୁର ସହରରେ ଆଧ୍ୟାତ୍ମିକ ପରିବେଶ। ମାଟି ତଳୁ ମା’ ମାଣିକେଶ୍ୱରୀଙ୍କ ପ୍ରତିମା ମିଳିବା ପରେ ନୂଆ ସାହି ଦ୍ୱିତୀୟ ଗଳିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ମାଟି ତଳେ ମା’ଙ୍କ ପ୍ରତିମା ରହିଥିବା ନେଇ ସ୍ୱପ୍ନାଦେଶ ହୋଇଥିଲା। ଗତ ସପ୍ତାହ ଶନିବାର ଜଣେ ଯୁବତୀଙ୍କ ଦେହରେ ମା’ ବିରାଜମାନ ହୋଇଥିବା ଦାବି କରାଯାଉଛି। ଏହାପରେ ମା’ଙ୍କ ଆଦେଶ ଅନୁସାରେ ଶନିବାର ମଧ୍ୟରାତ୍ରିରେ ଘର ଭିତରେ ମାଟି ଖୋଳାଯାଇଥିଲା। ଆଉ ସେଠାରୁ ମା’ ମାଣିକେଶ୍ୱରୀଙ୍କ ପ୍ରତିମା ମିଳିଥିବା କୁହାଯାଉଛି। ପ୍ରତିମା ମିଳିବା ପରେ ସାହିର ମହିଳାମାନେ ଏକାଠି ହୋଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଧୂପ, ଦୀପ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ମା’ଙ୍କ ଆରାଧନାରେ ମଜ୍ଜି ରହିଛନ୍ତି ଶ୍ରଦ୍ଧାଳୁ। ମା’ଙ୍କ ପ୍ରତିମା ମିଳିବା ଘଟଣାକୁ ନେଇ ଏବେ ସମଗ୍ର ସାହିରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଛି।